ରୋଗୀ ସେବାରେ ଅବହେଳା: ଜିଲାପାଳଙ୍କୁ ଦାବିପତ୍ର

ଢେଙ୍କାନାଳ ଅଫିସ୍‌,୧୯।୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପର ମହଲା ଦେଇ ୪ ବର୍ଷରେ ୪ ଜଣ ରୋଗୀ ଆତ୍ମହତ୍ୟା କରିବା, ସୁରକ୍ଷା ବ୍ୟବସ୍ଥା ଢିଲା, ଓ ରୋଗୀ ସେବାରେ ଅବହେଳା ପ୍ରଦର୍ଶନ ଆଦି ଦାବିକୁ ନେଇ ଢେଙ୍କାନାଳ ଜିଲା ଭାଜପା ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ଭାଜପା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ବରିଷ୍ଠ ନେତା ବିଭୁତି ପ୍ରଧାନ, ରାମଚନ୍ଦ୍ର ପାତ୍ର ଓ ସୁନିଲ ଶର୍ମା ପ୍ରମୁଖ ଜିଲା ମୁଖ୍ୟ ଚିକିତ୍ସାଳୟର ସମସ୍ୟା ସମାଧାନ କରିବା ପାଇଁ ଜିଲାପାଳ ସରୋଜ କୁମାର ସେଠୀଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷା, ବ୍ୟବସ୍ଥା କଡ଼ାକଡ଼ି ସହ ରୋଗୀମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ପ୍ରଦାନ କରା ନ ଗଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।