ବଦଳିନି ଆଦିବାସୀ ଅଧ୍ୟୁଷିତ ସାନ୍ତାଳପଡ଼ାର ଚିତ୍ର

ମହାକାଳପଡ଼ା,୨୯ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆର ସାନ୍ତାଳପଡ଼ା ଗାଁ ସମୁଦ୍ର ଆଁରେ ରହିଛି। ଅବହେଳିତ ସାନ୍ତାଳପଡ଼ାରେ ୧୯୯୯ ମହାବାତ୍ୟା ତାଣ୍ଡବ ରଚିଥିଲା। ସମୁଦ୍ର ଜୁଆରରେ ୧୫ରୁ ଅଧିକ ଲୋକଙ୍କ ଜୀବନ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ଏଥିମଧ୍ୟରେ ମହାବାତ୍ୟା ୨୩ଟି ବସନ୍ତ ଅତିକ୍ରମ କରିଛି। ତଥାପି ଅଦ୍ୟାବଧି ଗାଁର ଭୌଗୋଳିକ ଚିତ୍ର ବଦଳିବାର ନାଁ ଧରୁନାହିଁ। ଏହି ଗାଁରେ ମୋଟ ୪୭ ପରିବାରର ୩୦୦ରୁ ଅଧିକ ଲୋକ ବସବାସ କରୁଥିବା ଜଣାପଡିଛି। ଗାଁକୁ ଭଲ ରାସ୍ତାଟିଏ ନାହିଁ। କେହି ସରକାରୀ ଚାକିରି କରିନାହାନ୍ତି। ମାଛ, କଙ୍କଡା ଧରିବା ସହ ନିକଟ ଜଙ୍ଗଲରୁ ଶୁଖିଲା କାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି। ୧୯୯୯ ଅକ୍ଟୋବର ୨୯, ୩୦ ମହାବାତ୍ୟାର ବିଭୀଷିକା ଏବେବି ଲୋକଙ୍କ ମନରୁ ଲିଭିନି। ବାତ୍ୟା ନାଁ ଶୁଣିଲେ ସେହି କାଳ ରାତ୍ରିର କଥା ଲୋକମାନଙ୍କ ମନେ ପଡେ। ଚାହୁଁ ଚାହୁଁ ସେହି ରାତିରେ ଗାଁର ୧୫ ଜଣ ସମୁଦ୍ର ଗର୍ଭରେ ଭାସି ଯାଇଥିଲେ। ସମୁଦ୍ର ଏହି ଗ୍ରାମଠାରୁ ଖୁବ୍‌ ନିକଟରେ। ଗାଁକୁ ଘେରି ରହିଛି ଲୁଣା ଓ ହେନ୍ତାଳ ଜଙ୍ଗଲ। ବାତ୍ୟା ପ୍ରଭାବରେ ଗାଁ ଦାଣ୍ଡରେ ସମୁଦ୍ର ଜଳ ଲହଡ଼ି ମାଡ଼ି ଆସେ। ଲଘୁଚାପ ପ୍ରଭାବରେ ଏବେବି ସମୁଦ୍ର ଜଳ ଦାଣ୍ଡରେ ଲହଡ଼ି ଖେଳୁଛି।
ଗାଁର ମୁରବି ଗୁରୁଭା ହଁାସଦାଙ୍କ କହିବା କଥା ୧୯୯୯ ମହାବାତ୍ୟାରେ ଗାଁର ସମସ୍ତ ଲୋକ ଉଚ୍ଚ ସ୍ଥାନରେ ଥିବା ଏକ ଚାଳ ଛପର ଘରେ ପରିବାର ସହ ଜୀବନ ବିକଳରେ ଆଶ୍ରୟ ନେଇଥିଲୁ। ରାତି ବଢିବା ସହ ପବନର ବେଗ ବେଳକୁ ବେଳ ବଢ଼ି ଚାଲିଥାଏ। ତାହା ସାଙ୍ଗକୁ ଅବିଶ୍ରାନ୍ତ ବର୍ଷା। ଚାହୁଁ ଚାହୁଁ ଆଖି ପିଛୁଳାକେ ପାଖ ସମୁଦ୍ରରୁ ମାଡ଼ି ଆସିଲା ୫ରୁ୬ ଫୁଟ୍‌ ଉଚ୍ଚର ସମୁଦ୍ର ଜୁଆର। କିଟି କିଟି ଅନ୍ଧାର ଭିତରେ ମୁହଁକୁ ମୁହଁ ଦିଶୁ ନ ଥାଏ। ଗାଁ ଡେଇଁ ସମୁଦ୍ର ଢ଼େଉ ଆଶ୍ରୟ ନେଇଥିବା ଚାଳ ଛପର ଘର ଭିତରକୁ ମାଡ଼ି ଆସିଲା। ସମସ୍ତେ ହାତ ଧରାଧରି ହୋଇ ଘରର ମଝି ଖୁଣ୍ଟିକୁ ଜାବୁଡି ଧରିଲୁ। କିଛି ସମୟ ପରେ କାନ୍ଥ ଭୁଶୁଡ଼ିଲା ଓ ମୁଣ୍ଡ ଉପରୁ ଛପର ଉଡିଗଲା। ଘର ଭିତରେ ଅଣ୍ଟାଏ ପାଣିରେ ଘର ମଥାନକୁ ସବୁ ପିଲା ଛୁଆ ବୃଦ୍ଧାବୃଦ୍ଧ ଓ ମହିଳା ହାତ ଧରାଧରି ହୋଇ ଯାଇ ଆଶ୍ରୟ ନେବାକୁ ଚଢ଼ିଲୁ। ପବନର ବେଗ ଏତେ କ୍ଷିପ୍ର ହେଲା ମା’ କୋଳରୁ ଦୁଇଶିଶୁ ପୁତ୍ର ଛିଟିକି ପଡ଼ି ସମୁଦ୍ର ଢେଉରେ ଭାସିଗଲେ। ଅନ୍ୟପକ୍ଷରେ ଗାଁର କେତେଜଣ ଲୋକ ଆଶ୍ରୟ ନେଇଥିବା ସ୍ଥାନରୁ ୧୦ ଲୋକ ସମୁଦ୍ର କରାଳ ଗର୍ଭରେ ଲୀନ ହୋଇଗଲେ। ଅନ୍ୟ ୩ଜଣ ଲୋକ ଆଶ୍ରା ନେବା ପାଇଁ ଆସିବା ସମୟରେ ବାଟରେ ସମୁଦ୍ର ଅଶାନ୍ତ ଜୁଆରରେ ଭାସିଗଲେ। ଏବେ ବି ମୂକ ସାକ୍ଷୀ ହୋଇ ରହିଛି ଆଶ୍ରୟ ନେଇଥିବା ସେହି ଚାଳ ଛପର ଘର। ଗ୍ରାମର ଫଗଲ ମାରାଣ୍ଡି, ଗୁରୁଭା ହଁାସଦା, ରୂପାଲି ହେମ୍ବ୍ରମ୍‌ ପ୍ରମୁଖ ସେ ଦିନର କାଳ ରାତ୍ରି କଥା ବଖାଣିଛନ୍ତି। ସେହିପରି ଏହି ବ୍ଲକର ଶତାଧିକ ଚାଳ ଛପର ଘର ମାଟିରେ ମିଶି ଯାଇଥିଲା।