ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଭବାନୀପାଟଣା ସହରରେ ୨୦୨୩ ଜାନୁଆରୀ ୧୪ରେ ମା’ ମାଣିକେଶ୍ବରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା। ଏଠାରେ ଜିଲାର ବିଭିନ୍ନ ଅଞ୍ଚଳରୁ ୩୦ ଜଣ ଉତ୍ସାହୀ ଘୁମୁରା ପ୍ରେମୀ ଯୁବକଙ୍କୁ ତାଲିମ ପ୍ରଦାନ କରାଯାଉଥିଲା। ଛାତ୍ରମାନଙ୍କୁ ୧ବର୍ଷର ତାଲିମ ପରେ ପ୍ରମାଣପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ପାଠ୍ୟକ୍ରମ ପାଇଁ ୧ବର୍ଷର ପାଠ୍ୟଖସଡା ମଧ୍ୟ ପ୍ରସ୍ତୁତ ହୋଇଛି। ତାଲିମରେ ଥିବା ୩୦ଜଣ ଛାତ୍ରଙ୍କୁ ମାସିକ ୪ ହଜାର ଟଙ୍କା ଷ୍ଟାଇପେଣ୍ଟ ମଧ୍ୟ ଦେବାର ବ୍ୟବସ୍ଥା ରହିଥିଲା। କିନ୍ତୁ ରାଜ୍ୟ ସରକାର ଅନୁଦାନ ବନ୍ଦ କରି ଦେଇଥିବାରୁ ୨୦୨୪ ନଭେମ୍ବରରୁ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ତାଲା ଝୁଲୁଛି। ଘୁମୁରା ନୃତ୍ୟର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ହେଉ ନ ଥିବାରୁ ଏଥିପ୍ରତି ଯୁବକମାନଙ୍କ ଆଗ୍ରହ କମିବାରେ ଲାଗିଛି। ନୂଆଁଖାଇରୁ ଗାଁମାନଙ୍କରେ ଆରମ୍ଭ ହେଉଥିବା ଘୁମୁରା ଦଳ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଘୁମୁରା ସହିତ ଜଡିତ ନୃତ୍ୟଦଳର ଜୀବନ ଜୀବିକା ପ୍ରତି ମଧ୍ୟ ରାଜ୍ୟ ସରକାର ଦୃଷ୍ଟି ଦେଉନାହାନ୍ତି। ଫଳରେ ନିଜ ପେଟପାଟଣାରେ ବ୍ୟସ୍ତ ରହୁଥିବା କଳାକାର ନୃତ୍ୟପତି ଇଚ୍ଛା ଥିଲେ ମଧ୍ୟ ଏହାକୁ ପେଶା ଭାବରେ ଗ୍ରହଣ କରିପାରୁନାହାନ୍ତି। ନୂଆଁଖାଇଠାରୁ ଆରମ୍ଭ ହୋଇ ଖଣ୍ଡାବସା, ଛତର ଯାତ୍ରା, ଦଶହରା ଭଳି ବିଭିନ୍ନ ଜାନିଯାତ୍ରାରେ ଘୁମୁରା ପରିବେଷଣ ହୋଇଥାଏ। ହେଲେ ଏହାକୁ ପାଠ୍ୟପୁସ୍ତକରେ ସାମିଲ କରାଯାଇ ନ ଥିବାରୁ ଛାତ୍ରୀଛାତ୍ର ଘୁମୁରାର ଇତିହାସଠାରୁ ଆରମ୍ଭ କରି ଏହାର ନୃତ୍ୟଶୈଳୀ ପ୍ରତି ସଚେତନ ହୋଇପାରୁ ନାହାନ୍ତି। କେବଳ କଳାହାଣ୍ଡି ଉତ୍ସବ ଘୁମୁରା ନାମରେ ନାମିତ ହୋଇଥିବାବେଳେ ଘୁମୁରାର ଅସ୍ତିତ୍ୱ ବଞ୍ଚାଇବା ପାଇଁ କୋଣସି ଠୋସ ପଦକ୍ଷେପ ନିଆଯାଇପାରୁ ନାହିଁ। ଗାଁରୁ ସହର ପର୍ଯ୍ୟନ୍ତ କେବଳ ଘୁମୁରା ପ୍ରତିଯୋଗିତାରେ ସୀମିତ ରହିଯାଉଛି। ତେଣୁ ରାଜ୍ୟ ସରକାର ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ବଞ୍ଚାଇବା ପାଇଁ କେନ୍ଦ୍ରୀୟ ଘୁମୁରା ଏକାଡେମୀ ସ୍ଥାପନ ସହିତ ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସାମିଲ କରିବା ଏବଂ ଗବେଷଣା ଦିଗରେ ଅଧିନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି।

 

Dharitri – Odisha’s No.1 Odia Daily

 

Share