ତଦନ୍ତରେ ଅବହେଳା: ଚୋରିମୂର୍ତ୍ତି ପାଇଁ ରାସ୍ତାରୋକୋ

ସାକ୍ଷୀଗୋପାଳ,୫।୩(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ଥାନା ନୂଆ ସୋମେଶ୍ୱରପୁର ଶାସନ ଶ୍ରୀ ଗୋପୀନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ୭ ଟି ଆଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତରେ ଅବହେଳା ଅଭିଯୋଗ କରି ଗ୍ରାମବାସୀ ଶନିବାର ସକାଳୁ ରାସ୍ତାରୋକୋ କରିଛନ୍ତି। ଗାଁ ରାସ୍ତାର ଦୁଇ ପାର୍ଶ୍ୱରେ ବାଉଁଁଶ ବାନ୍ଧିବା ସହ ନିଆଁ ଜଳାଇ ମହିଳା ଓ ପୁରୁଷ ରାସ୍ତା ଉପରେ ବସି ନାରାବାଜି ଦେଇଥିବା ଦେଖାଯାଇଛି। ଫଳରେ ଉକ୍ତ ଗ୍ରାମ ଦେଇ ଯାଇଥିବା ସାକ୍ଷୀଗୋପାଳ – ଅଳଗୁମ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି।
ମନ୍ଦିର ଖାଲି ପଡିଛି। ପୂଜାର୍ଚ୍ଚନା ହୋଇ ପାରୁନାହିଁ। ଆଗକୁ ଗ୍ରାମର ମୁଖ୍ୟପର୍ବ ଦୋଳପୂର୍ଣ୍ଣିମା ଠାକୁରଙ୍କ ବିନା କିପରି ପାଳନ ହେବ। ପୂର୍ବ ବର୍ଷ ଠାକୁରଙ୍କ ବିଜେ ପ୍ରତିମା ଦୋଳ ବିମାନରେ ଗ୍ରାମ ପରିକ୍ରମା କରି ଭୋଗ ଖାଇବା ଏବଂ ଦୋଳବେଦୀରେ ଦୋଳି ଖେଳିବା ହଜାର ହଜାର ବର୍ଷର ପରମ୍ପରା ବନ୍ଦ ହୋଇଯିବ। ଇତି ମଧ୍ୟରେ ୧୮ ଦିନି ବିତିଥିଲେ ସୁଦ୍ଧା ପୋଲିସ ଚୋରିମୁର୍ତ୍ତି ସନ୍ଧାନ ପାଇଲା ନାହିଁ। ଚୋରି ମୂର୍ତ୍ତି ଫେରାଅ ନଚେତ ନୂତନ ବିଗ୍ରହ ସ୍ଥାପନା ପାଇଁ ଆର୍ଥିକ ସହାୟତା ତୁରନ୍ତ ଯୋଗାଇ ଦିଅ ଜିଦ୍‌ରେ ଗ୍ରାମବାସୀ ଅଟଳ ରହିଛନ୍ତି। ସତ୍ୟବାଦୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ।