Categories: ରାଜ୍ୟ

ହଷ୍ଟେଲ ପିଲାଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର, ୬।୧(ବ୍ୟୁରୋ): ଆସନ୍ତା ୧୧ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ୍‌ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ମଙ୍ଗଳବାର ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲ୍‌ରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି ଯେ, ହଷ୍ଟେଲ ପିଲାଙ୍କ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୩ଦିନ ତଳର କୋଭିଡ ନେଗେଟିଭ୍‌ ରିପୋର୍ଟ ଦେଖାଇଲେ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ। ଯେଉଁମାନଙ୍କ ପାଖରେ ଟେଷ୍ଟ ରିପୋର୍ଟ ନ ଥିବ ସେମାନଙ୍କ ପାଇଁ କ୍ୟାମ୍ପସରେ ଏକ କୋଭିଡ୍‌ ଟେଷ୍ଟ କ୍ୟାମ୍ପ ଖୋଲାଯିବ। ସେଠାରେ ମାଗଣାରେ ଟେଷ୍ଟ କରାଯାଇ ଛଡ଼ାଯିବ। ପୁରା କ୍ୟାମ୍ପସକୁ ବିଶୋଧନ କରାଯିବ। କୋଭିଡ ନିୟମ ପାଳନ ସହ ଶିକ୍ଷାଦାନ କରାଯିବ। ଏ ନେଇ ସମସ୍ତ ବିଭାଗୀୟ ମୁଖ୍ୟ ଓ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ଆଲୋଚନା କରାଯାଇଥିବା କୁଳପତି କହିଛନ୍ତି। ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଖୋଲିବା ନେଇ କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି ଯେ, ଯୁକ୍ତ୨ କଲେଜ, ୟୁଜି ଓ ପିଜି ଗୋଟିଏ କ୍ୟାମ୍ପସରେ ରହିଛି। ସେଥିପାଇଁ କ୍ଲାସରୁମ୍‌, ହଷ୍ଟେଲକୁ ବିଶୋଧନ କରାଯାଉଛି। ମନ୍ଦିରକୁ ଯିବା ପାଇଁ ଯେପରି କୋଭିଡ୍‌ ନେଗେଟିଭ ରିପୋର୍ଟ ଆବଶ୍ୟକ ସେହିପରି ଆମ ବିଦ୍ୟାମନ୍ଦିରକୁ ଛାତ୍ରୀ ଆସିବା ବେଳେ କୋଭିଡ୍‌ ନେଗେଟିଭ ରିପୋର୍ଟ ଆଣିବା ନେଇ ଚିନ୍ତା କରାଯାଉଛି। ବୁଧବାର ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ଏସ୍‌ଓପି ପ୍ରକାଶ ପାଇବ।