ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ ସହରରେ ପରୀକ୍ଷା ଦେବେ ସେନେଇ ୱେବସାଇଟ୍ରେ ସୂଚନା ଦିଆଯାଇଛି । ଏଥିପାଇଁ ଛାତ୍ରୀଛାତ୍ର ଆପ୍ଲିକେଶନ ନମ୍ବର ଏବଂ ପାସ୍ଓ୍ବାର୍ଡ ସହାୟତାରେ ଓ୍ବେବ୍ସାଇଟ୍କୁ ଲଗ୍ ଇନ୍ କରି ସହର ସ୍ଲିପ୍ ଦେଖିବା ସହ ଡାଉନ୍ଲୋଡ୍ କରିପାରିବେ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। neet.nta.nic.in ସାଇଟ୍ ଯାଇ ଚେକ୍ କରିବାକୁ ପରାମର୍ଶ ଦିଆଯାଇଛି ।
ଭାରତର ୫୫୧ଟି ସହର ଏବଂ ବିଦେଶରେ ୧୪ଟି ସହରରେ ଅପରାହ୍ନ ୨ଟାରୁ ୫ଟା ୧୫ ମଧ୍ୟରେ ଏନ୍ଇଇଟି-ୟୁଜି ପୁନଃ ପରୀକ୍ଷା କାଗଜକଲମରେ ହେବ ବୋଲି ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ପରୀକ୍ଷା ସହର ସୂଚନା ସ୍ଲିପ୍ ଆଡମିଟ୍ କାର୍ଡ ନୁହେଁ । ଏହା କେବଳ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ପରୀକ୍ଷା କେନ୍ଦ୍ର କେଉଁ ସହରରେ ରହିଛି, ତାହା ଜଣାଇବା ପାଇଁ ଉଦ୍ଦିଷ୍ଟ ବୋଲି ଏନ୍ଟିଏ ସ୍ପଷ୍ଟ କରିଦେଇଛି। ଆଡମିଟ୍ କାର୍ଡ ପରେ ଇସ୍ୟୁ କରାଯିବ ବୋଲି ଏନ୍ଟିଏ କହିଛି।