ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ଆଜି, ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ,୨୧।୬(ପି.ଟି.): ରବିବାର ଅନୁଷ୍ଠିତ ହେବାକୁ ଥିବା ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି-ୟୁଜି)କୁ ନିର୍ବିଘ୍ନ, ସୁରକ୍ଷିତ ଓ ସ୍ବଚ୍ଛ ଭାବେ ସମ୍ପାଦନ କରିବା ପାଇଁ ଶନିବାର ଦେଶବ୍ୟାପୀ ଏକ ମକ୍‌ ଡ୍ରିଲ୍‌ କରାଯାଇଛି। ଦିଲ୍ଲୀର ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ରବିବାର ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ଦେଶର ୫୫୧ଟି ଏବଂ ବିଦେଶରେ ୧୪ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେବେ।

ପରୀକ୍ଷା ପରିଚାଳନାକୁ ନିର୍ବିଘ୍ନ ଓ ସୁରକ୍ଷିତ କରିବା ପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯିବା ସହ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ପରୀକ୍ଷା କେନ୍ଦ୍ରଗୁଡ଼ିକର ପ୍ରସ୍ତୁତି ଏବଂ ଏହି ପ୍ରକ୍ରିୟା ସହ ସମ୍ପୃକ୍ତ ଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ବୟ କେତେ ବ୍ୟବସ୍ଥିତ ହୋଇଛି, ତାହା ପରୀକ୍ଷା କରିବା ପାଇଁ ଶନିବାର ମକ୍‌ ଡ୍ରିଲ୍‌ କରାଯାଇଛି।
ପରୀକ୍ଷା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଛାତ୍ରୀଛାତ୍ରଙ୍କ କାଗଜପତ୍ର ଏବଂ ଡ୍ରେସ୍‌ କେଡ୍‌ ଯାଞ୍ଚ କରାଯିବ। ଶେଷ ମୁହୂର୍ତ୍ତର କୌଣସି ସମସ୍ୟାରୁ ଦୂରେଇ ରହିବା ନିମନ୍ତେ ଏନ୍‌ଟିଏ ଦ୍ୱାରା ଜାରି ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି। ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଅନୁମତି ମିଳିବ ଏବଂ ଅପରାହ୍ନ ୧ଟା ୩୦ ମିନିଟ୍‌ରେ ଗେଟ୍‌ ବନ୍ଦ କରିଦିଆଯିବ। ଏହା ପରେ କୌଣସି ଛାତ୍ରୀଛାତ୍ର ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିପାରିବେ ନାହିଁ। ପରୀକ୍ଷା ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ୧୯୫ ମିନିଟ୍‌ ଧରି ଚାଲିବ। ରଫ୍‌ କାମ ପାଇଁ ଏଥର ବୁକ୍‌ଲେଟ୍‌ରେ ଛାତ୍ରୀଛାତ୍ରଙ୍କୁ ୪ ପୃଷ୍ଠା ମିଳିବ, ଯାହାକି ପୂର୍ବରୁ ୨ ପୃଷ୍ଠା ଥିଲା।

ପରୀକ୍ଷାର୍ଥୀମାନେ ସାଙ୍ଗରେ ନୂଆ ଆଡମିଟ୍‌ କାର୍ଡ, ଆଡମିଟ୍‌ କାର୍ଡର ରଙ୍ଗିନ୍‌ ଫଟୋ ଆଣିବେ ଯେଉଁଥିରେ ସେମାନଙ୍କ ଫଟୋ ଲଗାଯାଇଥିବ। ସରକାରଙ୍କ ଦ୍ୱାରା ଜାରି ଫଟୋ ପରିଚୟପତ୍ର ଭାବେ ଆଧାର କାର୍ଡ, ପାନ୍‌ କାର୍ଡ, ପାସ୍‌ପୋର୍ଟ କିମ୍ବା ଡ୍ରାଇଭିଂ ଲାଇସେନ୍ସ ମଧ୍ୟରୁ ଯେକୌଣସି ଗୋଟିଏ ଆଣିବା ବାଧ୍ୟତାମୂଳକ। ସେଗୁଡ଼ିକର ନକଲ ମୋବାଇଲ୍‌ ଫୋନ୍‌ରେ ଦେଖାଇବାକୁ ଅନୁମତି ଦିଆଯିବ ନାହିଁ। ଏଥିସହିତ ଛାତ୍ରୀଛାତ୍ରଙ୍କୁ ସାଙ୍ଗରେ ଅନୂ୍ୟନ ୨ଟି ପାସ୍‌ପୋର୍ଟ ସାଇଜ ଫଟୋ ଆଣିବାକୁ ପଡ଼ିବ। ଭିନ୍ନକ୍ଷମ ବର୍ଗର ପରୀକ୍ଷାର୍ଥୀଙ୍କୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ମୂଳ ସାର୍ଟିଫିକେଟ ସାଙ୍ଗରେ ଆଣିବାକୁ ହେବ।

 

Dharitri – Odisha’s No.1 Odia Daily

Share