ନୂଆଦିଲ୍ଲୀ,୧୭ା୫(ପି.ଟି.):ଏନ୍ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ପୁଣେରୁ ଜଣେ ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି। ଉକ୍ତ ଅଧ୍ୟାପିକା ମେ’ ୩ରେ ଅନୁଷ୍ଠିତ ହୋଇଥିବା ଏନ୍ଇଇଟି-ୟୁଜି ପରୀକ୍ଷା ପାଇଁ ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)ର ପେପର-ସେଟିଂ କମିଟିର ଅଂଶବିଶେଷ ଥିଲେ। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଶୁକ୍ରବାର ଗିରଫ ହୋଇଥିବା ଅପରାଧର କିଙ୍ଗ୍ପିନ୍ ରସାୟନ ବିଜ୍ଞାନ ପ୍ରଫେସର ପି.ଭି. କୁଲକର୍ଣ୍ଣି ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଜେରା କରିବା ପରେ ଏହା ଆଧାରରେ ବାୟୋଲୋଜି ଅଧ୍ୟାପିକା ମନୀଷା ମନ୍ଧାରେଙ୍କୁ ଗିରଫ କରାଯାଇଛି।
ମନ୍ଧାରେ ଉକ୍ତ ପରୀକ୍ଷା ପ୍ରକ୍ରିୟାରେ ସମ୍ପୃକ୍ତ ରହିବା ସହ ଏନ୍ଟଏ ଦ୍ୱାରା ବିଶେଷଜ୍ଞ ନିଯୁକ୍ତ ହୋଇଥିଲେ। ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ପ୍ରଶ୍ନପତ୍ର ଦେଖିବା, ପଢ଼ିବା ଓ ବ୍ୟବହାର କରିବାର ସମ୍ପୂର୍ଣ୍ଣ ଅଧିକାର ତାଙ୍କ ପାଖରେ ଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ପୁଣେର ମନୀଷା ଓ୍ୱାଗ୍ମାରେଙ୍କ ଜରିଆରେ ମନ୍ଧାରେ ଗତ ଏପ୍ରିଲରେ ସମ୍ଭାବ୍ୟ ଏନ୍ଇଇଟି ପରୀକ୍ଷାର୍ଥୀମାନଙ୍କୁ ଡକାଇଥିଲେ। ସେ ତାଙ୍କ ପୁଣେ ବାସଭବନରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର କୋଚିଂ କ୍ଲାସ୍ କରିଥିଲେ। ଓ୍ୱାଗମାରେଙ୍କୁ ଗୁରୁବାର ଗିରଫ କରାଯାଇଥିଲା। ମନ୍ଧାରେ ନିର୍ଦ୍ଦିଷ୍ଟ ଛାତ୍ରୀଛାତ୍ରଙ୍କୁ ଲିକ୍ ହୋଇଥିବା ପ୍ରଶ୍ନପତ୍ର ଓ ଏହାର ଉତ୍ତର ଡାକିଦେଇଥିଲେ। ଏଥିପାଇଁ ସେ ଛାତ୍ରୀଛାତ୍ରଙ୍କଠାରୁ ଅନେକ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ସେ ଡାକିଥିବା ପ୍ରଶ୍ନଗୁଡ଼ିକ ମଧ୍ୟରୁ ଅଧିକାଂଶ ଗତ ୩ ତାରିଖ ଏନ୍ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନ ସହ ସମାନ ଥିଲା। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ଉକ୍ତ ପରୀକ୍ଷାକୁ ବାତିଲ କରାଯାଇଛି ଓ ସାନି ପରୀକ୍ଷା ଜୁନ୍ ୨୧ରେ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଲାଟୁରରୁ ଗିରଫ ହୋଇଥିବା କୁଲକର୍ଣ୍ଣି ବହୁବର୍ଡ ହେଲା ଏନ୍ଇଇଟି ପ୍ରଶ୍ନପତ୍ର ସେଟିଂ ସହ ସମ୍ପୃକ୍ତ ପ୍ୟାନେଲ୍ରେ ରହିଆସିଥିବାରୁ ପରୀକ୍ଷା ସମ୍ପର୍କିତ ଗୋପନୀୟ ବିଷୟରେ ସେ ଅବଗତ ଥିଲେ। ସେ ଏପ୍ରିଲ ଶେଷ ସପ୍ତାହରେ ନିଜ ଘରେ ସ୍ୱତନ୍ତ୍ର କୋଚିଂ କ୍ଲାସ୍ କରି ପରୀକ୍ଷା ଆଶାୟୀଙ୍କୁ ଏନ୍ଇଇଟି-ୟୁଜି ପ୍ରଶ୍ନପତ୍ର, ବିକଳ୍ପ ଏବଂ ଉତ୍ତର ଡାକିଦେଇଥିଲେ।