ନୂଆଦିଲ୍ଲୀ,୨।୮: ଆସନ୍ତା ଅଗଷ୍ଟ ୩୦ ତାରିଖରେ NEET PG ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି । NEET UG ୨୦୨୬ ପରୀକ୍ଷାକୁ ନେଇ ଦେଖାଯାଇଥିବା ବିବାଦ ମଧ୍ୟରେ ‘ନ୍ୟାସନାଲ ବୋର୍ଡ ଅଫ୍ ଏକ୍ସାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍’ (NBEMS) ପକ୍ଷରୁ NEET PG ୨୦୨୬ ପରୀକ୍ଷା ପାଇଁ କିଛି ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରୀକ୍ଷାକୁ ସୁରକ୍ଷିତ, ପ୍ରଶ୍ନପତ୍ରଲିକ୍ ମୁକ୍ତ ଏବଂ ନକଲ ରହିତ କରାଇବା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା NEET PG ୨୦୨୬ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏଥିସହ କୌଣସି ପ୍ରକାର ଅସୁବିଧା କିମ୍ବା ଗଣ୍ଡଗୋଳ ବିନା ଛାତ୍ରୀଛାତ୍ରମାନଙ୍କ ପାଇଁ ଏକ ସୁବିଧାଜନକ ପରୀକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ NEET PG ୨୦୨୬ ପାଇଁ ୨,୭୩,୧୮୩ ଜଣ ଛାତ୍ରୀଛାତ୍ର ପଞ୍ଜୀକରଣ କରିଛନ୍ତି । ଏହି ସଂଖ୍ୟା ଗତବର୍ଷର ପରୀକ୍ଷାର୍ଥୀଙ୍କ ସଂଖ୍ୟା ତୁଳନାରେ ୧୨.୫ ପ୍ରତିଶତ ଅଧିକ ଅଛି। ଏଥର ପରୀକ୍ଷା ଦେଶବ୍ୟାପୀ ୩୪୦ଟି ସହରର ୧୩୦୦ରୁ ଅଧିକ କେନ୍ଦ୍ରରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ପ୍ରାୟ ୬୦,୦୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହେବେ। ପରୀକ୍ଷା କେନ୍ଦ୍ର ଆଖପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ପରୀକ୍ଷା କେନ୍ଦ୍ରଗୁଡ଼ିକରେ କଡ଼ା ଯାଞ୍ଚ କରାଯିବା ସହ ସିସିଟିଭି (CCTV) ଜରିଆରେ ନଜର ରଖାଯିବ। ବାୟୋମେଟ୍ରିକ୍ ଯାଞ୍ଚ ପରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ ଏବଂ ଭିତରକୁ ଯିବା ପୂର୍ବରୁ ପ୍ରାର୍ଥୀମାନଙ୍କର ତଲାସୀ ନିଆଯିବ। ପରୀକ୍ଷା କେନ୍ଦ୍ରରେ ଜାମର୍ (Jammers) ଲଗାଯିବ ଏବଂ ଲାଇଭ୍ ମନିଟରିଂ କରାଯିବ।
ଗତ କିଛି ବର୍ଷ ହେବ ବିଭିନ୍ନ ପରିସ୍ଥିତି ଯୋଗୁଁ NEET-PG ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହୋଇଥିଲା, କିନ୍ତୁ ବର୍ତ୍ତମାନ NEET-PG ୨୦୨୬ ପରୀକ୍ଷା କେବଳ ଗୋଟିଏ ସିଫ୍ଟରେ କରାଯିବ। କିନ୍ତୁ ପରୀକ୍ଷାର ସମୟ ପୂର୍ବ ଭଳି ୨୧୦ ମିନିଟ୍ ଅର୍ଥାତ୍ ୩ ଘଣ୍ଟା ୩୦ ମିନିଟ୍ ହିଁ ରହିବ। ଏଥର ପରୀକ୍ଷାରେ ପଚରାଯାଉଥିବା ପ୍ରଶ୍ନ ସଂଖ୍ୟା ମଧ୍ୟ ହ୍ରାସ କରି ୧୮୦କୁ କରାଯାଇଛି। ପୂର୍ବରୁ ୨୦୦ଟି ପ୍ରଶ୍ନ ରହୁଥିଲା ଏବଂ ସମ୍ପୂର୍ଣ୍ଣ ପରୀକ୍ଷା ୮୦୦ ନମ୍ବରର ହେଉଥିଲା, କିନ୍ତୁ ପ୍ରଶ୍ନ କମିବା ଏବଂ ସମୟ ସାଢ଼େ ୩ ଘଣ୍ଟା ରହିବା ଦ୍ୱାରା ଛାତ୍ରୀଛାତ୍ରମାନେ ପେପର ଶେଷ କରିବା ପାଇଁ ଅଧିକ ସମୟ ପାଇପାରିବେ।
ନୂତନ ନିୟମ ଅନୁଯାୟୀ, ଏଥର ପରୀକ୍ଷା କେନ୍ଦ୍ର ଆବଣ୍ଟନ କରିବାର ପଦ୍ଧତି ମଧ୍ୟ ସମ୍ପୂର୍ଣ୍ଣ ନୂଆ ଅଟେ । ଏଥର ୩ଟି ରାଜ୍ୟ ମଧ୍ୟରୁ ଗୋଟିଏ ରାଜ୍ୟ ବାଛିବାର ବିକଳ୍ପ ଦିଆଯାଇଛି, ଯାହାଫଳରେ ପରୀକ୍ଷାର୍ଥୀମାନେ ନିଜ ଘର ପାଖରେ ହିଁ ପରୀକ୍ଷା କେନ୍ଦ୍ର ପାଇପାରିବେ। ପୂର୍ବରୁ ଆଖପାଖ କେନ୍ଦ୍ରଗୁଡ଼ିକ ଆରମ୍ଭରୁ ହିଁ ବୁକ୍ ହୋଇଯାଉଥିଲା ଏବଂ ଶେଷ ଦିନମାନଙ୍କରେ ପଞ୍ଜୀକରଣ କରୁଥିବା ପରୀକ୍ଷାର୍ଥୀମାନେ ବହୁ ଦୂରଦୂରାନ୍ତରେ ପରୀକ୍ଷା କେନ୍ଦ୍ର ପାଉଥିଲେ, ଯାହାଫଳରେ ବହୁତ ଅସୁବିଧା ହେଉଥିଲା। ଏଥର ପରୀକ୍ଷାର୍ଥୀମାନଙ୍କୁ ଅଗଷ୍ଟ ୩୦ ତାରିଖରେ ହେବାକୁ ଥିବା ପରୀକ୍ଷାର ୩ ସପ୍ତାହ ପୂର୍ବରୁ ହିଁ ପ୍ରବେଶପତ୍ର (Admit Card) ମିଳିଯିବ, ଯାହାଦ୍ୱାରା ସେମାନେ ଆବଣ୍ଟିତ କେନ୍ଦ୍ରରେ ସମୟ ପୂର୍ବରୁ ପହଞ୍ଚି ପାରିବେ ।
ଏଥର ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଆଧାର କାର୍ଡ (Aadhaar Card) ଯାଞ୍ଚ ପରେ ହିଁ ମିଳିବ। ଯଦି କୌଣସି ପ୍ରାର୍ଥୀଙ୍କ ଫିଙ୍ଗରପ୍ରିଣ୍ଟ ଯାଞ୍ଚ ବିଫଳ ହୁଏ, ତେବେ ସେମାନଙ୍କ ଆଖିର ପିତୁଳା ସ୍କାନ୍ କରି ଯାଞ୍ଚ କରାଯିବ, ଯାହାଫଳରେ କୌଣସି ଜାଲ୍ ପ୍ରାର୍ଥୀ ଯେପରି ପ୍ରବେଶ କରିପାରିବେ ନାହିଁ।