Categories: ଜାତୀୟ

୧୨ ସେପ୍ଟେମ୍ବରରେ ନିଟ୍‌ ପରୀକ୍ଷା, ସ୍ଥଗିତ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୬।୯: ନିଟ୍‌ ପରୀକ୍ଷା ସ୍ଥଗିତ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ ହୋଇଯାଇଛି। ମେଡିକାଲ ଅଣ୍ଡର ଗ୍ରାଜୁଏଟ୍‌ ପାଠ୍ୟକ୍ରମ ପାଇଁ ହେଉଥିବା ଏହି ପ୍ରବେଶିକା ପରୀକ୍ଷା ପୂର୍ବରୁ ଧାର୍ଯ୍ୟ ହୋଇଥିବା ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହେବ। ପରୀକ୍ଷା ସ୍ଥଗିତ ଆବେଦନ ଉପରେ ଶୁଣାଣି କରିବାକୁ ଶୀର୍ଷ କୋର୍ଟ ସୋମବାର ମନା କରିଛନ୍ତି।

ସିବିଏସଇର ପ୍ରାଇଭେଟ୍‌, ପତ୍ର ମାଧ୍ୟମ ଏବଂ କମ୍ପାର୍ଟମେଣ୍ଟ ଛାତ୍ରୀଛାତ୍ରମାନେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରି ଆବେଦନ କରିଥିଲେ। ନିଟ୍‌ ପରୀକ୍ଷା ସମୟରେ ସେମାନଙ୍କର ଲିଖିତ ପରୀକ୍ଷା ଚାଲିଥିବ ବୋଲି ଛାତ୍ରୀଛାତ୍ରମାନେ ଆବେଦନ ପତ୍ରରେ ଉଲ୍ଲେଖ କରିଥିଲେ। କୋର୍ଟ ଏନେଇ କୌଣସି ଆଦେଶ ଦେବାକୁ ମନା କରିଦେଇଛନ୍ତି ଏବଂ କହିଛନ୍ତି ଯେ ଏହି ମାମଲାରେ ସମ୍ପୃକ୍ତ ଅଧିକାରୀଙ୍କ ସହିତ ଆଲୋଚନା କରାଯିବା ଆବଶ୍ୟକ। ବାସ୍ତବରେ, ଯେଉଁ ଦିନ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେବ, ସେଦିନ ସିବିଏସ୍‌ଇ ପରୀକ୍ଷାର କେତେକ ପେପର ରହିଛି।

ଉଭୟ ପରୀକ୍ଷା ସମାନ ଦିନରେ ରହିଥିବାରୁ ଛାତ୍ରଛାତ୍ରୀଙ୍କ ସାମ୍ନାରେ ଏକ ସଙ୍କଟ ଦେଖାଦେଇଛି। ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ଏ.ଏମ୍‌. ଖାନୱିଲକର ଛାତ୍ରୀଛାତ୍ରମାନଙ୍କୁ ପରୀକ୍ଷା କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ମତ ଉପସ୍ଥାପନ କରିବାକୁ କହିଛନ୍ତି।

କୋର୍ଟ କହିଛନ୍ତି ଯେ, ପରୀକ୍ଷାକୁ ସ୍ଥଗିତ ରଖାଯାଇ ପାରିବ ନାହିଁ। କଠୋର ଆଭିମୁଖ୍ୟ ଗ୍ରହଣ କରି କୋର୍ଟ କହିଛନ୍ତି ଯେ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବା ପାଇଁ ସୁପ୍ରିମକୋର୍ଟଙ୍କ ବ୍ୟବହାର କରିବା ଉଚିତ ନୁହେଁ। କୋର୍ଟ କହିଛନ୍ତି ଏହି ପ୍ରବେଶିକା ପରୀକ୍ଷା ପାଇଁ ୧୬ ଲକ୍ଷ ଛାତ୍ରୀଛାତ୍ର ପ୍ରସ୍ତୁତ ହୋଇଛନ୍ତି। ପରୀକ୍ଷା ପାଇଁ ଆଡମିଟ କାର୍ଡ ମଧ୍ୟ ଛାତ୍ରଛାତ୍ରୀମାନେ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପରୀକ୍ଷା ସ୍ଥଗିତ କରିହେବ ନାହିଁ।

ତେବେ ଅଦାଲତ କହିଛନ୍ତି ଯେ ଅସ୍ଥାୟୀ ଭିତ୍ତିରେ ନିଟ୍‌ ପରୀକ୍ଷାରେ କମ୍ପାର୍ଟମେଣ୍ଟାଲ ଛାତ୍ରୀଛାତ୍ରଙ୍କୁ ହାଜର ହେବାକୁ ଅନୁମତି ଦେଇହେବ।

କିଛି ଛାତ୍ରୀଛାତ୍ର ରିପୋର୍ଟ କରିଛନ୍ତି ଯେ ୧୩ ସେପ୍ଟେମ୍ବରରେ ଆଇସିଏଆର୍‌ ପରୀକ୍ଷା ନିଟ୍‌-୨୦୨୧ର ଠିକ ଗୋଟିଏ ଦିନ ପରେ ଅନୁଷ୍ଠିତ ହେଉଛି। ଛାତ୍ରୀଛାତ୍ରମାନେ ଅଳ୍ପ ସମୟ ବ୍ୟବଧାନରେ ଗୋଟିଏ କେନ୍ଦ୍ରରୁ ଅନ୍ୟ କେନ୍ଦ୍ରକୁ ପରୀକ୍ଷା ଦେବା ଲାଗି ଯାଇପାରିବେ ନାହିଁ।

ଏଥି ସହିତ, ୧୩ ସେପ୍ଟେମ୍ବରରେ ସିବିଏସ୍‌ଇର ଗଣିତ ବିଷୟର ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ଆବେଦନରେ କୁହାଯାଇଛି ଯେ ସିବିଏସଇ ପରୀକ୍ଷା ମଧ୍ୟରେ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେଉଛି। ଏଭଳି ପରିସ୍ଥିତିରେ ଛାତ୍ରୀଛାତ୍ରମାନେ ସୁପ୍ରିମକୋର୍ଟରେ ଜାତୀୟ ପରୀକ୍ଷା ଏଜେନ୍ସିର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ।

Share