ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର ପଦାରେ ପକାଉଛି। ସଦ୍ୟ ଘଟଣା ହେଲା ୩ ମେ’ ୨୦୨୬ରେ ସର୍ବଭାରତୀୟ ସ୍ତରରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ଏନ୍ଇଇଟି)ରେ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଏହି ଏନ୍ଇଇଟି-ୟୁଜି ପରୀକ୍ଷା ପୂର୍ବରୁ ରାଜସ୍ଥାନରେ ଏକ ‘ଗେସ୍ ପେପର’ ବା ଆନୁମାନିକ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ସେଥିରେ ପ୍ରାୟ ୧୨୦-୧୪୦ଟି ପ୍ରଶ୍ନ ପ୍ରକୃତ ପରୀକ୍ଷା ପରି ସମାନ ଥିବା ଜଣାପଡ଼ିଥିଲା। ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ୍ ତଦନ୍ତରୁ ଏହା ଜଣାପଡ଼ିଛି। ଏହି ପରୀକ୍ଷାକୁ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଏକ ସ୍ବୟଂଶାସିତ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପରିଚାଳନା କରିଥାଏ। କେବଳ ଚଳିତ ଥର ନୁହେଁ, ୨୦୨୪ରେ ମଧ୍ୟ ପେପର୍ ଲିକ୍, ଗ୍ରେସ୍ ମାର୍କ ଭଳି ଅନେକ ଅନିୟମିତତା ହୋଇଥିଲା। ହେଲେ ସେତେବେଳେ ସମ୍ପୃକ୍ତ ପରୀକ୍ଷାକୁ ବାତିଲ କରାଯାଇ ନ ଥିଲା। ୨୦୨୬ ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଛାତ୍ରୀଛାତ୍ର ବିକ୍ଷୋଭ କରିବା ସହ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କରିବାରୁ ଏନ୍ଟିଏ ଏହାକୁ ବାତିଲ କରିଦେଇଛି।
ଯେତେବେଳେ ପ୍ରଶ୍ନପ୍ରତ୍ର ଲିକ୍ ହୋଇଥାଏ କିମ୍ବା କୌଣସି କାରଣରୁ ତାହା ବାତିଲ ହୁଏ, ସେତେବେଳେ ଅନେକ ଲକ୍ଷ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଏ। ଏହି ଛାତ୍ରୀଛାତ୍ର ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷ ବୋଲି କହିହେବ। କେନ୍ଦ୍ର ସରକାର ୨୦୨୬ ମେଡିକାଲ ପ୍ରବେଶିକା ପରୀକ୍ଷା ଅନିୟମିତତାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ନିର୍ଦ୍ଦେଶର କୌଣସି ମାନେ ରହୁନାହିଁ। କାରଣ ୨୦୨୪ ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତାର ଯାଞ୍ଚ କେଉଁଆଡ଼େ ଗଲା ତାହା କେହି ଜାଣିପାରିଲେ ନାହିଁ। କିଛି ଲୋକଙ୍କୁ ଗିରଫ କରି ପରେ ଛାଡ଼ିଦେବା ହୋଇଯାଇଛି ତଦନ୍ତକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟ। ଏଭଳି ପରିସ୍ଥିତିରେ କେବଳ ବିଦ୍ୟାର୍ଥୀ ନୁହନ୍ତି, ସେମାନଙ୍କ ମାତାପିତା ଓ ଅଭିଭାବକମାନେ ମଧ୍ୟ ମାନସିକ ଯନ୍ତ୍ରଣା ଦେଇ ଗତି କରିଥାଆନ୍ତି। ଏନ୍ଟିଏ ବାରମ୍ବାର ପରୀକ୍ଷା ପରିଚାଳନାରେ ବିଫଳ ହେଉଥିବାରୁ ଅନ୍ୟ କୌଣସି ସଂସ୍ଥା ଗଠନ ଉପରେ ଶିକ୍ଷାବିତ୍ମାନେ ଦୃଢ଼ ଦାବି କରୁଛନ୍ତି। କିନ୍ତୁ ମୂଳ କଥା ହେଲା, ଯେକୌଣସି ସଂସ୍ଥା ଗଠନ କରିଦେଲେ ଓ ତାହା ଯଦି ଉତ୍ତରଦାୟିତ୍ୱ ବଜାୟ ରଖି ନ ପାରିବ, ତେବେ ଏଭଳି ଅନିୟମିତତା ଲାଗି ରହିବ ।
ପିଲାଙ୍କ ଭବିଷ୍ୟତ ସହିତ ଖେଳୁଥିବା ଦୋଷୀଙ୍କୁ ଯଦି ଆଜୀବନ ଜେଲଦଣ୍ଡ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଦିଆଯିବାର ଆଇନ ତିଆରି ହୋଇପାରନ୍ତା, ତେବେ ହୁଏତ କିଛିଟା ପରିବର୍ତ୍ତନ ଆସିପାରନ୍ତା। ଏହା କହିଲା ବେଳକୁ ମନେପଡ଼େ ଦିଲ୍ଲୀର ନିର୍ଭୟା ଘଟଣା ପରେ ଦେଶବ୍ୟାପୀ ଯେଉଁ ଉତ୍ତେଜନା ପ୍ରକାଶ ପାଇଲା, ସେଥିରେ ସରକାର ବଦଳିଯାଇପାରିଲା, କିନ୍ତୁ ଆଜି ମଧ୍ୟ ବଳାତ୍କାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ ସୃଷ୍ଟି ହୋଇପାରୁ ନାହିଁ।