Categories: ଖେଳ

ଅଲିମ୍ପିକ୍ସ ପାଇଁ ନୀରଜ କଳିଙ୍ଗରେ ନେଇଥିଲେ ଟ୍ରେନିଂ

ଭୁବନେଶ୍ୱର, ୮।୮(କ୍ରୀଡ଼ା ପ୍ରତିନିଧି): ଟୋକିଓ ଅଲିମ୍ପିକ୍ସର ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ଭାରତକୁ ଗର୍ବିତ କରିଛନ୍ତି ତାରକା ଆଥଲେଟ୍‌ ନୀରଜ ଚୋପ୍ରା। ଅଲିମ୍ପିକ୍ସ ଶେଷ ହେବାରୁ ଗୋଟିଏ ଦିନ ପୂର୍ବରୁ ସ୍ବର୍ଣ୍ଣିମ ସଫଳତା ପାଇ ନିଜ କ୍ୟାରିୟରକୁ ରୁଦ୍ଧିମନ୍ତ କରିଥିବା ନୀରଜଙ୍କର ଓଡ଼ିଶା ଲିଙ୍କ୍‌ ରହିଛି। ୨୦୧୭ ଜୁଲାଇ ୬ରୁ ୯ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏସିଆନ ଆଥଲେଟିକ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ଭାଗନେଇ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ ନୀରଜ। ଫାଉଲରୁ ଅଭିଯାନ ଆରମ୍ଭ କରିଥିବା ନୀରଜ ପରବର୍ତ୍ତୀ ୫ ଉଦ୍ୟମରେ ଯଥାକ୍ରମେ ୭୮.୫୯, ୭୮.୫୪, ୮୩.୦୬, ୮୦.୯୯ ଓ ୮୫.୨୩ ମିଟର ଜାଭେଲିନ ପକାଇଥିଲେ। ୬ଷ୍ଠ ଉଦ୍ୟମରେ ୮୫.୨୩ ମିଟର ଥ୍ରୋ ହିଁ ତାଙ୍କୁ ସ୍ବର୍ଣ୍ଣିମ ସଫଳତା ଦେଇଥିଲା। ଆଥଲେଟିକ୍‌ ଚାମ୍ପିୟନଶିପ୍‌ ପ୍ରକୃତରେ ରାଞ୍ଚତ୍ରେ ଆୟୋଜନ ହେବାର ଥିଲା। ମାତ୍ର ଝାଡ଼ଖଣ୍ଡ ସରକାର ଅସାମର୍ଥତା ପ୍ରକାଶ କରିବାପରେ ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା। ମାତ୍ର ୯୦ ଦିନର ଚ୍ୟାଲେଞ୍ଜକୁ ଗ୍ରହଣ କରି ଓଡ଼ିଶା ସଫଳତାର ସହ ଏହି ପ୍ରତିଯୋଗିତା ଆୟୋଜନ କରି ସଫଳତା ସାଉଁଟିଥିଲା। ସ୍ବର୍ଣ୍ଣ ପଦକ ଅର୍ଜନ କରିଥିବା ନୀରଜଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ।

ଟୋକିଓ ଅଲିମ୍ପିକ୍ସ ପାଇଁ କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ ନେଇଥିଲେ ନୀରଜ। ୨୦୨୦ ଡିସେମ୍ବର ୪ରୁ ୨୦୨୧ ଫେବୃୟାରୀ ୧୪ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିଥିଲା। କରୋନା କଟକଣା ମଧ୍ୟରେ ଅନୁଷ୍ଠିତ କ୍ୟାମ୍ପରେ ନୀରଜଙ୍କ ସମେତ ୫ ଆଥଲେଟ୍‌ ଏବଂ ୫ ସପୋର୍ଟ ଷ୍ଟାଫ୍‌ ଭାଗ ନେଇଥିଲେ। ଜର୍ମାନୀ କୋଚ୍‌ ଉଇ ହୋନ ଏବଂ ଡ. କାଲୋସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟ୍ରେନିଂ ନେଇ ନିଜ ପ୍ରଦର୍ଶନକୁ ଶାଣିତ କରିଥିଲେ ଏହି ତାରକା ଆଥଲେଟ୍‌। ତେଣୁ ନୀରଜଙ୍କ ସଫଳତା ପଛରେ ଓଡ଼ିଶା ସରକାରଙ୍କ ଅବଦାନକୁ ମନେ ପକାଇ କୋଚ୍‌ ଉଇ ହୋନ ଟୁଇଟ୍‌ କରିଥିବା କ୍ରୀଡ଼ା ବିଭାଗର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

Share