Categories: Home Leftଖେଳ

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରୁ ଓହରି ଯାଇଥିବା ସ୍ପଷ୍ଟ ହୋଇଛି।

ଫଳରେ ମହାଦେଶୀୟ ଇଭେଣ୍ଟର ଆଥ୍‌ଲେଟିକ୍ସରେ ଭାରତର ଅଭିଯାନକୁ ଶକ୍ତ ଧକ୍କା ଲାଗିଛି। ଚୋପ୍ରା କହିଛନ୍ତି, ଲାଉସାନେ ଡାଇମଣ୍ଡ ଲିଗ୍‌ରେ ସିଜନ ଶ୍ରେଷ୍ଠ ପ୍ରଦର୍ଶନ କରିବାର କିଛି ସମୟ ପରେ ଚୋପ୍ରା ଆଘାତପ୍ରାପ୍ତ ହୋଇଛନ୍ତି। ଚୋପ୍ରା ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଏକ ପୋଷ୍ଟରେ ଦର୍ଶାଇଛନ୍ତି ଯେ, ଟ୍ରେନିଂ ବେଳେ ତାଙ୍କ ଗୋଡ଼ ଲିଗାମେଣ୍ଟରେ ସମସ୍ୟା ଦେଖାଦେଇଥିଲା। ସେ ଦଳ ଏବଂ ତାଙ୍କ ଡାକ୍ତରଙ୍କ ସହ ପରାମର୍ଶ ପରେ ସିଜନର ଅବଶିଷ୍ଟାଂଶରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଥିଲେ। ୨୮ବର୍ଷୀୟ ଏହି ଜାଭେଲିନ୍‌ ଥ୍ରୋୟର କହିଛନ୍ତି, ରିଦିମ ଫେରିପାଇବା ବେଳେ ତାଙ୍କର ଏହି ନିଷ୍ପତ୍ତି ତାଙ୍କୁ ବ୍ୟଥିତ କରିଛି। ବର୍ତ୍ତମାନେ ସେ କିପରି ଯେତେ ଶୀଘ୍ର ସୁସ୍ଥ ହୋଇପାରିବେ ସେ ଦିଗରେ ଧ୍ୟାନ ଦେବେ। ଆଘାତପ୍ରାପ୍ତ ହେବା ଦ୍ୱାରା ସେ ସେପ୍ଟେମ୍ବର ୫ରେ ବ୍ରସେଲ୍ସଠାରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଭାଗ ନେଇପାରିବେ ନାହିଁ, ଯାହା ପାଇଁ ସେ ଯୋଗ୍ୟତା ଅର୍ଜନ କରିଥିଲେ। ଏସିଆନ ଗେମ୍ସରେ ମଧ୍ୟ ତାଙ୍କଠାରୁ ଦେଶ ଏକ ପଦକ ଆଶା କରୁଥିଲା।

Share