Categories: ଜାତୀୟ

ବିଧାୟକ, ଏମ୍‌ପିଙ୍କ ବିରୋଧରେ ୫ ହଜାର ମାମଲା ଶୁଣାଣି ଅପେକ୍ଷାରେ

ନୂଆଦିଲ୍ଲୀ,୩।୨: ଦେଶର ପାର୍ଲାମେଣ୍ଟ ସଦସ୍ୟ (ଏମ୍‌ପି) ଏବଂ ବିଧାୟକମାନଙ୍କ ବିରୋଧରେ ମୋଟ ୪,୯୮୪ ମାମଲା ବିଚାରାଧୀନ ରହିଛି। ସେଥିରୁ ୧,୮୯୯ ମାମଲା ୫ ବର୍ଷରୁ ଊର୍ଦ୍ଧ୍ୱ ହେଲା କୋର୍ଟରେ ପଡ଼ିରହିଥିବା ସୁପ୍ରିମକୋର୍ଟଙ୍କୁ କୁହାଯାଇଛି।

ଆମିକସ୍‌ କ୍ୟୁରି ନିଯୁକ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ବିଜୟ ସଂସରିଆ ସର୍ବୋଚ୍ଚ ଅଦାଲତଙ୍କୁ ଦେଇଥିବା ରିପୋର୍ଟରେ କହିଛନ୍ତି, ୨୦୧୮ ଡିସେମ୍ବର ସୁଦ୍ଧା ୪,୧୧୦ ମାମଲା ରହିଥିଲା। ୨୦୨୦ ଅକ୍ଟୋବରରେ ଏହା ୪,୮୫୯ରେ ପହଞ୍ଚତ୍ଛି। ୨୦୧୮ ଡିସେମ୍ବର ୪ ପରେ ୨,୭୭୫ ମାମଲା ଫୈସଲା ହୋଇଥିଲେ ମଧ୍ୟ ଏମ୍‌ପି ଏବଂ ବିଧାୟକଙ୍କ ବିରୋଧରେ ମାମଲା ବଢ଼ିଛି। ତେଣୁ ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକୁ ଅଧିକରୁ ଅଧିକ ଅପରାଧ ପୃଷ୍ଠଭୂମି ଥିବା ଲୋକ ପ୍ରତିନିଧି ଆସୁଛନ୍ତି। ଫୌଜଦାରୀ ମାମଲାଗୁଡ଼ିକର ତୁରନ୍ତ ଫୈସଲା ଲାଗି ଜରୁରୀ ଓ କଠୋର ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଆଇନଜୀବୀ ସ୍ନେହା କାଲିତାଙ୍କ ଜରିଆରେ ଦାଖଲ ରିପୋର୍ଟରେ କୁହାଯାଇଛି।

କୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ବଢ଼ୁଥିବାବେଳେ ଏହା ଉପରେ ସର୍ବୋଚ୍ଚ ଅଦାଲତ ଗତବର୍ଷ ଅଗଷ୍ଟ ୨୫ରେ ନେଇଥିବା ନିର୍ଦ୍ଦେଶ ଉପରେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଜବାବ ଦାଖଲ କରିନାହାନ୍ତି। ଏମ୍‌ପି/ବିଧାୟକଙ୍କ ମାମଲା ଶୁଣାଣି କରୁଥିବା କୋର୍ଟରେ ଇଣ୍ଟରନେଟ ଆଦି ଭିତ୍ତିଭୂମି ସୁବିଧା ରହିବା ଆବଶ୍ୟକ ବୋଲି ଆମିକସ୍‌ କ୍ୟୁରି କହିଛନ୍ତି।

Share