ନୂଆଦିଲ୍ଲୀ,୧୩।୧: ଇରାନରେ ଜାରି ରହିଥିବା ଦେଶବ୍ୟାପୀ ଅଶାନ୍ତି ମଧ୍ୟରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପ୍ରାୟ ୨,୦୦୦ ଲୋକ ଏହି ଆନ୍ଦୋଳନରେ ପ୍ରାଣ ହରାଇଥିବା ଜଣେ ଇରାନୀୟ ଅଧିକାରୀ ମଙ୍ଗଳବାର ‘ରଏଟର୍ସ’କୁ ସୂଚନା ଦେଇଛନ୍ତି। ଦେଶରେ ଚାଲିଥିବା ଦମନଲୀଳା ମଧ୍ୟରେ ସରକାରୀ ସ୍ତରରେ ଏତେ ବଡ଼ ସଂଖ୍ୟକ ମୃତ୍ୟୁକୁ ସ୍ୱୀକାର କରାଯିବା ଏହା ପ୍ରଥମ ଘଟଣା।
ଇରାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ମୃତ୍ୟୁ ପଛରେ କେତେକ “ଆତଙ୍କବାଦୀ” ଗୋଷ୍ଠୀର ହାତ ରହିଛି। ସେମାନେ ଉଭୟ ପ୍ରଦର୍ଶନକାରୀ ଓ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରିଛନ୍ତି। ତେବେ ମୃତକଙ୍କ ମଧ୍ୟରୁ କେତେ ଜଣ ଆନ୍ଦୋଳନକାରୀ ଏବଂ କେତେ ସୁରକ୍ଷାକର୍ମୀ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
ଦେଶର ଖରାପ ଆର୍ଥିକ ସ୍ଥିତି ଓ ମୁଦ୍ରାସ୍ଫୀତିକୁ ନେଇ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗତ ବର୍ଷ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଇରାନ ଉପରେ ଚାପ ବୃଦ୍ଧି ପାଇଛି।
ଇରାନ ସରକାର ଆର୍ଥିକ ସମସ୍ୟାକୁ ନେଇ ହେଉଥିବା ବିକ୍ଷୋଭକୁ “ବୈଧ” ବୋଲି କହିଥିଲେ ହେଁ, ପରବର୍ତ୍ତୀ ସମୟରେ ଏହାକୁ କଠୋର ହସ୍ତରେ ଦମନ କରିଛନ୍ତି। ଆମେରିକା ଓ ଇସ୍ରାଏଲ ଏହି ଅଶାନ୍ତିକୁ ପ୍ରୋତ୍ସାହିତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ସୂଚନା ପ୍ରସାରଣକୁ ରୋକିବା ପାଇଁ ଦେଶରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସୁରକ୍ଷାକର୍ମୀ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଗୁଳି ବିନିମୟ, ଗାଡ଼ି ଓ କୋଠାରେ ନିଆଁ ଲଗାଇ ଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମାନବାଧିକାର ସଂଗଠନଗୁଡ଼ିକ ଏହି ମୃତ୍ୟୁ ସଂଖ୍ୟା ଓ ହଜାର ହଜାର ଲୋକଙ୍କ ଗିରଫଦାରୀକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।


