ଏକ୍‌ଜିଟ୍‌ ପୋଲ୍‌ରେ ଏନ୍‌ଡିଏର ଦବ୍‌ଦବା

ନୂଆଦିଲ୍ଲୀ,୨ା୬: ଏକ୍‌ଜିଟ୍‌ ପୋଲ ସର୍ଭେ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୩୬୦ରୁ ଅଧିକ ଲୋକ ସଭା ଆସନ ଦଖଲକରି କେନ୍ଦ୍ରରେ ପୁଣି ଥରେ ନିରଙ୍କୁଶ ସରକାର ଗଢ଼ିବାକୁ ଯାଉଛି। କଂଗ୍ରେସ ସମେତ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍‌ ୧୫୦ ଭିତରେ ସୀମିତ ରହିବ। ଶନିବାର ସନ୍ଧ୍ୟା ୬ଟା ୩୦ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବୁଥ୍‌ ଫେରନ୍ତା ଭୋଟରଙ୍କ ମତାମତକୁ ନେଇ ଅଧିକାଂଶ ସର୍ବେକ୍ଷଣ ସଂସ୍ଥା ଏଭଳି ଭବିଷ୍ୟବାଣୀ କରିଛନ୍ତି। ଏକ୍‌ଜିଟ୍‌ ପୋଲ୍‌ ସତ ହେଲେ ଭାଜପା ନେତା ନରେନ୍ଦ୍ର ମୋଦି ହ୍ୟାଟ୍ରିକ୍‌ ସଫଳତା ସହ ଲଗାତର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ। କିନ୍ତୁ ଭାଜପା ୩୭୦ ଡେଇଁବ ନାହିଁ ଏବଂ ମୋଦିଙ୍କ ‘୪୦୦ ପାର୍‌’ ଟାର୍ଗେଟରୁ ଏନ୍‌ଡିଏ ବିଚ୍ୟୁତ ହେବା ନିଶ୍ଚିତ ବୋଲି ଟିଭି ଚ୍ୟାନେଲଗୁଡ଼ିକ ଦର୍ଶାଉଛନ୍ତି। ତେବେ ‘ଏକ୍‌ଜିଟ୍‌ ପୋଲ୍‌’ ‘ଏକ୍‌ଜାଟ୍‌ ପୋଲ୍‌’ ନୁହେଁ। ତେଣୁ ଜୁନ୍‌ ୪ ମଙ୍ଗଳବାର ଭୋଟ ଗଣତି ପରେ ଆସିବାକୁ ଥିବା ଫଳାଫଳକୁ ସମସ୍ତଙ୍କ ଅପେକ୍ଷା।

ଅଷ୍ଟାଦଶ ଲୋକ ସଭାର ସମସ୍ତ ୫୪୩ ଆସନରେ ନିର୍ବାଚନ ଶେଷ ହୋଇଛି। ଏପ୍ରିଲ ୧୯ରୁ ମେ’ ୨୫ ଭିତରେ ୬ଟି ପର୍ଯ୍ୟାୟରେ ୪୮୬ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶନିବାର ଚୂଡ଼ାନ୍ତ ପର୍ଯ୍ୟାୟରେ ୭ ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳର ଅବଶିଷ୍ଟ ୫୭ ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯାଇଛି। ମତଦାନ ସମ୍ପୂର୍ଣ୍ଣ ହେବା ପରେ ବିଭିନ୍ନ ସର୍ଭେ ସଂସ୍ଥା ଭୋଟ ଦେଇ ବୁଥ୍‌ରୁ ଫେରିଥିବା ମତଦାତାଙ୍କଠାରୁ ସଂଗୃହୀତ ମତାମତକୁ ନେଇ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ କରିଛନ୍ତି। ତଦନୁସାରେ ଶାସକ ଏନ୍‌ଡିଏ ପ୍ରାୟ ୩୬୫ ଆସନ ଦଖଲ କରିବାକୁ ଥିବାବେଳେ ବିରୋଧୀ ଇଣ୍ଡିଆ ଦଳଗୁଡ଼ିକୁ ୧୪୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଇଣ୍ଡିଆ ଟିଭି-ସିଏନ୍‌ଏକ୍ସ ଏନ୍‌ଡିଏକୁ ସର୍ବାଧିକ ୩୭୧-୪୦୧ ଆସନ ଦେଇଥିବାବେଳେ ଇଣ୍ଡିଆ ୧୦୯ରୁ ୧୩୯ ଭିତରେ ସୀମିତ ରହିବ ଏବଂ ଅନ୍ୟ ଦଳଗୁଡ଼ିକ ୨୮ରୁ ୩୮ ଆସନ ପାଇବେ ବୋଲି ଭବିଷ୍ୟବାଣୀ କରିଛି। ଇଣ୍ଡିଆ ନ୍ୟୁଜ୍‌-ଡି ଡାଇନାମିକ୍ସର ଆକଳନ ଅନୁସାରେ ଏନ୍‌ଡିଏ ୩୭୧, ଇଣ୍ଡିଆ ୧୨୫ ଏବଂ ଅନ୍ୟ ଦଳ ୪୭ ଆସନରେ ସଫଳତା ପାଇବେ। ସେହିପରି ଏନ୍‌ଡିଟିଭି ଇଣ୍ଡିଆ-ଜନ୍‌ କୀ ବାତ୍‌ର ସର୍ଭେ କହୁଛି ଏନ୍‌ଡିଏ ୩୬୫ ଆସନ ଦଖଲ କରିବ। ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ୧୪୨ ଓ ଅନ୍ୟମାନେ ୩୬ ଆସନରେ ସୀମିତ ରହିବେ। ରିପବ୍ଲିକ୍‌ ଭାରତ-ମାଟ୍ରିଜ୍‌ ଏନ୍‌ଡିଏ ୩୫୩-୩୬୮ ଆସନରେ ସଫଳତା ହାସଲ କରିବା ନେଇ ଅନୁମାନ କରିଛି। ଇଣ୍ଡିଆ ୧୧୮-୧୩୩ ଏବଂ ଅନ୍ୟ ଦଳଗୁଡ଼ିକର ପ୍ରାର୍ଥୀମାନେ ୪୩ରୁ ୪୮ ଆସନ ଦଖଲ କରିପାରନ୍ତି ବୋଲି ଏହି ସର୍ଭେ ସଂସ୍ଥା ଆକଳନ କରିଛି। ନ୍ୟୁଜ୍‌ ନେଶନ୍‌ର ହିସାବ ଅନୁସାରେ ଶାସକ ଏନ୍‌ଡିଏ ୩୪୨-୩୭୮, ବିରୋଧୀ ମେଣ୍ଟ ୧୫୩-୧୬୯ ଓ ଅନ୍ୟମାନେ ୨୧-୨୩ ଆସନ ପାଇବେ। ଅନ୍ୟପକ୍ଷେ ଦୈନିକ ଭାସ୍କର ଏନ୍‌ଡିଏକୁ ସର୍ବନିମ୍ନ ୨୫୦-୨୮୧ ଆସନ ଦେଇଛି। ଏହାର ଆକଳନ ଅନୁସାରେ ଇଣ୍ଡିଆ ମେଣ୍ଟ ୧୪୫-୨୦୧ ଏବଂ ଅନ୍ୟ ପ୍ରାର୍ଥୀ ୩୩-୪୯ ଆସନ ଦଖଲ କରିବାରେ ସକ୍ଷମ ହେବେ। ଏହି ସମସ୍ତ ଏକ୍‌ଜିଟ୍‌ ପୋଲ୍‌କୁ ମିଶାଇ ମୋଟାମୋଟି ଭାବେ ଦେଖିଲେ ଏନ୍‌ଡିଏ ୩୬୫, ଇଣ୍ଡିଆ ୧୪୧ ଓ ଅନ୍ୟ ଦଳଗୁଡ଼ିକର ପ୍ରାର୍ଥୀ ୩୬ ଆସନରେ ସଫଳତା ପାଇବେ।

ଜାତୀୟ ସ୍ତରରେ ଏକ୍‌ଜିଟ୍‌ ପୋଲ୍‌ ଭବିଷ୍ୟବାଣୀ କରିଥିବା ସଂସ୍ଥାଗୁଡ଼ିକ ମଧ୍ୟରୁ କେତେକ ସଂସ୍ଥା ରାଜ୍ୟଓ୍ବାରି ସର୍ଭେ ହିସାବ ମଧ୍ୟ ପ୍ରକାଶ କରିଛନ୍ତି। ତଦନୁସାରେ ସବୁଠୁ ବଡ଼ ଓ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତର ପ୍ରଦେଶରେ ଏନ୍‌ଡିଏ ୮୦ ଆସନ ମଧ୍ୟରୁ ୬୯-୭୪ଟିରେ ସଫଳତା ପାଇବ ଏବଂ ଇଣ୍ଡିଆ ମେଣ୍ଟକୁ ୬-୧୧ ଆସନରେ ସୀମିତ ରହିବାକୁ ପଡ଼ିବ ବୋଲି ରିପବ୍ଲିକ୍‌ ଭାରତ-ମାଟ୍ରିଜ୍‌ ହିସାବ କରିଛି। ଇଣ୍ଡିଆ ନ୍ୟୁଜ୍‌-ଡି ଡାଇନାମିକ୍ସ ୟୁପିରେ ଏନ୍‌ଡିଏକୁ ୬୯ ଏବଂ ବିରୋଧୀଙ୍କୁ ୬-୧୨ ଆସନ ଦେଇଛି। ଦକ୍ଷିଣ ଭାରତ ଓ ପଶ୍ଚିମବଙ୍ଗରେ ଏନ୍‌ଡିଏର ପ୍ରଦର୍ଶନ ପୂର୍ବାପେକ୍ଷା ଉନ୍ନତ ରହିବା ନେଇ ଅନେକ ସଂସ୍ଥା ଅନୁମାନ କରିଛନ୍ତି। ପଶ୍ଚିମବଙ୍ଗରେ ଭାଜପା ୨୧ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୧୯ ଆସନ ଦଖଲ କରିବା ନେଇ ୨ଟି ସଂସ୍ଥା ଆକଳନ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ସହ ମେଣ୍ଟ କରିଥିବା ଏନ୍‌ଡିଏକୁ ରାଜ୍ୟ ୨୫ ଆସନ ମଧ୍ୟରୁ ୧୮ଟିରେ ସଫଳତା ମିଳିବା ଆକଳନ କରାଯାଇଛି। ତେଲଙ୍ଗାନାର ୧୭ ଆସନରୁ ଭାଜପା ଅର୍ଦ୍ଧାଧିକ ସିଟ୍‌ ଜିତିପାରେ। ଏପରି କି ଗୈରିକ ଦଳ ତାମିଲନାଡୁରେ ୨ ଓ କେରଳରେ ଗୋଟିଏ ଆସନ ପାଇପାରେ। ସେହିପରି ଓଡ଼ିଶାରେ ଭାଜପା ୧୫ ଏବଂ ଶାସକ ବିଜୁ ଜନତା ଦଳ (ବିଜେଡି) ୩ରୁ ୮ ଆସନ ପାଇବ ବୋଲି ଏକ୍‌ଜିଟ୍‌ ପୋଲ୍‌ କହୁଛି। ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଆସାମ ଓ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଭାଜପାର ପ୍ରଦର୍ଶନ ଭଲ ରହିବା ନେଇ ଅନେକ ସଂସ୍ଥା ଆକଳନ କରିଛନ୍ତି। କିନ୍ତୁ ବିହାରରେ ଗତ ନିର୍ବାଚନରେ ୪୦ରୁ ୩୯ ଆସନ ଦଖଲ କରିଥିବା ଏନ୍‌ଡିଏକୁ ଏଥର ନିରାଶ ହେବାକୁ ପଡ଼ିପାରେ। ତେଜସ୍ବୀ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ୭ ଆସନ ଦଖଲ କରିପାରେ। ହରିୟାଣା ଓ ରାଜସ୍ଥାନରେ ମଧ୍ୟ ବିରୋଧୀ ମେଣ୍ଟ ପୂର୍ବାପେକ୍ଷା ଅଧିକ ଆସନ ନେଇପାରେ। ଅନ୍ୟପକ୍ଷେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏକ୍‌ଜିଟ୍‌ ପୋଲ୍‌ ଆକଳନକୁ ଭୁଲ୍‌ ପ୍ରମାଣିତ ହେବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ଏକାକୀ ୩୦୩ ଆସନ ଦଖଲ କରିଥିବାବେଳେ ଏନ୍‌ଡିଏକୁ ୩୫୨ ଆସନରେ ସଫଳତା ମିଳିଥିଲା। ସେତେବେଳେ କଂଗ୍ରେସ ୫୨ ଆସନ ପାଇଥିବାବେଳେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ୯୧ ଆସନରେ ସୀମିତ ହୋଇ ରହିଯାଇଥିଲା। ଚଳିତ ନିର୍ବାଚନରେ ଭାଜପା ଏକୁଟିଆ ୩୭୦ ଟାର୍ଗେଟ ରଖିବା ସହ ଏନ୍‌ଡିଏ ୪୦୦ରୁ ଅଧିକ ଆସନ ଦଖଲ କରିବା ନେଇ ଲକ୍ଷ୍ୟ ରଖିଥିଲା, ଯାହାକି ପୂରଣ ହୋଇ ନ ପାରେ। ପାର୍ଲାମେଣ୍ଟର ନିମ୍ନ ସଦନରେ ୫୪୩ ଆସନ ଥିବାବେଳେ ସରକାର ଗଠନ ପାଇଁ କୌଣସି ଦଳ ବା ମେଣ୍ଟକୁ ୨୭୨ ଆସନରେ ବିଜୟୀ ହେବା ଜରୁରୀ। ମଙ୍ଗଳବାର ସମସ୍ତ ଆସନରେ ଭୋଟ ଗଣତି କରାଯିବା ପରେ ପ୍ରକୃତ ଫଳାଫଳ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri