ନୂଆଦିଲ୍ଲୀ,୧୭।୭: କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (BJP) ନେତୃତ୍ୱାଧୀନ ଶାସକ NDA ମେଣ୍ଟ ସଂସଦୀୟ ବୈଠକର ନାମ ବଦଳାଇ ଦିଆଯାଇଛି। ଏବେ ଏହାକୁ ‘ମଙ୍ଗଳ ମିଳନ’ ନାମ ଦିଆଯାଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ NDA ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଏବଂ ରାଜପଥ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ନାମ ବଦଳାଯାଇ ସାରିଛି।
ସଂସଦ ଅଧିବେଶନ ସମୟରେ ସାଧାରଣତଃ ଏହି ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ। ଏବେ ନିଜର ନୂଆ ନାମ ‘ମଙ୍ଗଳ ମିଳନ’ ସହିତ ପ୍ରଥମ ବୈଠକ ୨୧ ଜୁଲାଇରେ ଅନୁଷ୍ଠିତ ହେବାକୁ ଯାଉଛି। NDA ସଂସଦୀୟ ଦଳର ଏହି ବୈଠକ ମଙ୍ଗଳବାର (୨୧ ଜୁଲାଇ) ସକାଳ ୯:୩୦ ରେ ସଂସଦ ଭବନରେ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ NDA ସାଂସଦମାନଙ୍କୁ ସମ୍ବୋଧିତ ମଧ୍ୟ କରିବେ।
ଏହାପୂର୍ବରୁ ମୋଦୀଙ୍କ ନେତୃତ୍ୱାଧୀନ NDA ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ‘ରେସ୍ କୋର୍ସ ରୋଡ୍’ର ନାମ ବଦଳାଯାଇଥିଲା। ସେପ୍ଟେମ୍ବର ୨୦୧୬ ରେ ରେସ୍ କୋର୍ସ ରୋଡ୍ର ନାମ ବଦଳାଇ ‘ଲୋକ କଲ୍ୟାଣ ମାର୍ଗ’ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ଆଧିକାରିକ ବାସଭବନ ପ୍ରାୟ ୧୨ ଏକର ପରିମିତ ଅଞ୍ଚଳରେ ବ୍ୟାପିଛି।
ସେହିପରି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ଐତିହାସିକ ‘ରାଜପଥ’ର ନାମ ବଦଳାଯାଇଥିଲା। ବ୍ରିଟିଶ ଶାସନ କାଳରେ ନିର୍ମିତ ଏହି ରାସ୍ତାକୁ ରାଜା ଜର୍ଜ ପଞ୍ଚମଙ୍କ ସମ୍ମାନାର୍ଥେ ‘କିଙ୍ଗସୱେ’ କୁହାଯାଉଥିଲା, କିନ୍ତୁ ସ୍ୱାଧୀନତା ପରେ ଏହାକୁ ‘ରାଜପଥ’ କୁହାଗଲା। ମୋଦୀ ସରକାର ସେପ୍ଟେମ୍ବର ୨୦୨୨ ରେ ରାଜପଥର ନାମ ବଦଳାଇ ‘କର୍ତ୍ତବ୍ୟ ପଥ’ କରିଦେଇଥିଲେ।
ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ କେନ୍ଦ୍ରୀୟ ସଚିବାଳୟ (Central Secretariat) ର ନାମ ବଦଳାଯାଇଛି। କେନ୍ଦ୍ର ସରକାର ଏହି ବର୍ଷ ଫେବ୍ରୁଆରୀରେ କେନ୍ଦ୍ରୀୟ ସଚିବାଳୟର ନାମ ‘କର୍ତ୍ତବ୍ୟ ଭବନ’ କରିଛନ୍ତି। ଅନ୍ୟପଟେ ନିକଟସ୍ଥ ସାଉଥ୍ ବ୍ଲକ୍ (ଯେଉଁଥିରେ PMO କାର୍ଯ୍ୟାଳୟ ମଧ୍ୟ ରହିଛି) ର ନାମ ‘ସେବା ତୀର୍ଥ’ କରାଯାଇଛି।