ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି, ଦେଶରେ ତିନି ତଲାକ୍ ପ୍ରଥା ଉଚ୍ଛେଦ କରି ମୁସଲିମ୍ ମହିଳାଙ୍କୁ ସମାନ ଅଧିକାର ଦିଆଯାଇଛି। ଏହାସହ କିଛି ରାଜ୍ୟରେ UCC ଲାଗୁ ହୋଇସାରିଛି ବୋଲି ସେ କହିଛନ୍ତି।
ଶାହା କହିଛନ୍ତି, ଗତ ୧୨ ବର୍ଷରେ କେନ୍ଦ୍ର ସରକାର ଅନେକ ବଡ଼ ପଦକ୍ଷେପ ନେଇଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପାର ୨୫ ବର୍ଷର ଯାତ୍ରାରେ ମଧ୍ୟ ଅନେକ ଉପଲବ୍ଧି ହାସଲ ହୋଇଛି ବୋଲି ସେ କହିଛନ୍ତି। ଭାରତୀୟ ନ୍ୟାୟ ସଂହିତା ମାଧ୍ୟମରେ ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ମଜବୁତ କରାଯାଇଥିବା ଶାହା କହିଛନ୍ତି । କିଛି ରାଜ୍ୟରେ ଗୋଟିଏ ବର୍ଷ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାରରେ ୩୦ ପ୍ରତିଶତ ବୃଦ୍ଧି ହୋଇଥିବା ସେ ଦାବି କରିଛନ୍ତି । ଏହାସହ ୩ ବର୍ଷ ମଧ୍ୟରେ ନ୍ୟାୟ ମିଳିବା ନିଶ୍ଚିତ କରିବାକୁ ଏକ ବ୍ୟବସ୍ଥା ପ୍ରସ୍ତୁତ ହେଉଥିବା କହିଛନ୍ତି।
ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଶାହା କହିଛନ୍ତି, ଗୋଟିଏ ବି ବୁନ୍ଦା ରକ୍ତ ନବୁହାଇ କିମ୍ବା ଗୁଳି ନଚଳାଇ ଧାରା ୩୭୦ ଓ ୩୫ଏ ହଟାଯାଇଛି। ଏବେ କଶ୍ମୀର ସମ୍ପୂର୍ଣ୍ଣ ଭାବେ ଭାରତ ସହ ଯୋଡ଼ି ହୋଇଛି ।ସେହିପରି ଦୀର୍ଘ ୫ ଦଶନ୍ଧି ଧରି ଚାଲିଥିବା ନକ୍ସଲବାଦକୁ ଶେଷ କରାଯାଇଥିବା ଏବଂ ଉତ୍ତର-ପୂର୍ବ ଭାରତରେ ୧୪ରୁ ଅଧିକ ଶାନ୍ତି ଚୁକ୍ତି ସ୍ୱାକ୍ଷର ହୋଇଥିବା ସେ କହିଛନ୍ତି। ୯ ହଜାରରୁ ଅଧିକ ଲୋକ ଆତ୍ମସମର୍ପଣ କରିଥିବା ଶାହା ଦାବି କରିଛନ୍ତି।
ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ କହିବା ଅନୁସାରେ, ସର୍ଜିକାଲ୍ ଷ୍ଟ୍ରାଇକ୍, ଏୟାର୍ ଷ୍ଟ୍ରାଇକ୍ ଏବଂ ଅପରେସନ୍ ସିନ୍ଦୂର ମାଧ୍ୟମରେ ଆତଙ୍କବାଦ ବିରୋଧରେ ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତି ସ୍ପଷ୍ଟ ହୋଇଛି।ମଣିପୁରରେ NRC ଲାଗୁ କରିବା ପାଇଁ ୧୯୫୧ ମସିହାର ବେସ୍ଲାଇନ୍ ବ୍ୟବହାର ହେବ କି ନାହିଁ, ପ୍ରଶ୍ନର ଉତ୍ତରରେ ଶାହା କହିଛନ୍ତି ଯେ ଏହି ପ୍ରସଙ୍ଗରେ ସହଯୋଗୀ ଦଳ ଓ ମଣିପୁରର ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା ଚାଲିଛି। ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।