ଭୁଲ ଭାବେ ମହିଳାଙ୍କ କେଶ କାଟିବା ପଡ଼ିଲା ମହଙ୍ଗା: ଏବେ ସେଲୁନକୁ ଦେବାକୁ ପଡ଼ିବ ୨ କୋଟି ଟଙ୍କାର କ୍ଷତିପୂରଣ

ନୂଆଦିଲ୍ଲୀ,୨୪।୯: ଦିଲ୍ଲୀର ଏକ ସେଲୁନରେ ଭୁଲ ଭାବେ ମହିଳାଙ୍କ କେଶ କାଟିବା ମହଙ୍ଗା ପଡିଛି। ଫଳରେ ସେଲୁନକୁ ୨ କୋଟି ଟଙ୍କାର କ୍ଷତି ପୂରଣ ଏବେ ଦେବାକୁ ପଡିବ। ଜାତୀୟ ଉପଭୋକ୍ତା ବିବାଦର ସମାଧାନ ଆୟୋଗ (ଏନସିଡିଆରଡିସି) ମହିଳାଙ୍କୁ ଦୁଇ କୋଟି କ୍ଷତିପୂରଣ ଦେବାକୁ ସେଲୁନ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ କହିବାନୁସାରେ, ସେଲୁନ କେବଳ ମହିଳାଙ୍କ କେଶକୁ ଭୁଲ ଭାବେ କାଟି ନାହିଁ ବରଂ ଭୁଲ କେଶ ଔଷଧ ଦେଇ କେଶକୁ ସ୍ଥାୟୀ କ୍ଷତି ପହଞ୍ଚାଇଛି। ଏହି କାରଣରୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଆର.କେ ଅଗ୍ରୱାଲ ଏବଂ ଡା. ଏସଏମ କାନ୍ତିକର ଏହି ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ଏହି ସମୟରେ ଆୟୋଗ ମଧ୍ୟ ଘଟଣା ସମୟରେ ମହିଳାଙ୍କ ଆୟ କତା ମଧ୍ୟ ଆଲୋଚନାକୁ ନେଇଥିଲେ।
ଏହି ଘଟଣା ଏପ୍ରିଲ ୨୦୧୮ରୁ ଆରମ୍ଭ ହୋଇଥିଲା। ଜଣେ ମହିଳା କେଶ ଚିକିତ୍ସା ପାଇଁ ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲର ସେଲୁନ ଯାଇଥିଲେ, କିନ୍ତୁ ତାଙ୍କ କେଶ ଭୁଲ ଭାବେ କଟାଇଥିଲା। ଏଥିରେ ମହିଳାଙ୍କ ଆର୍ଥିକ କ୍ଷତି ମଧ୍ୟ ହୋଇଥିଲା। କାରଣ ମହିଳା ଜଣକ ହେୟାର ପ୍ରଡକ୍ଟର ମଡେଲ ଥିଲେ ଏବଂ ଅନେକ ବଡ ହେୟାର କେୟାର ବ୍ରାଣ୍ଡ ପାଇଁ ମଡେଲଂ କରୁଥିଲେ। ସେଲୁନର ଭୁଲ କେଶ ଚିକିତ୍ସା ହେତୁ ମହିଳାଙ୍କ ମଡେଲିଂ ଦୁନିଆରେ ଆଉ ଆଗକୁ ବଢିପାରି ନ ଥିଲେ। ଏହି ପରିପ୍ରେକ୍ଷୀରେ ମହିଳା ଜଣକ କହିଥିଲେ ଯେ, ସେଲୁନର ରାସାୟନିକ ପଦାର୍ଥ ଯୋଗୁ ତାଙ୍କ କେଶ ନଷ୍ଟ ହୋଇଯାଇଥିଲା ଏବଂ ଏହା ପରେ ସେ ତିନି କୋଟି କ୍ଷତିପୂରଣ ମାଗି ଜାତୀୟ ଉପଭୋକ୍ତା ବିବାଦ ସମାଧାନ କମିଶନଙ୍କ ନିକଟକୁ ଯାଇଥିଲେ।

Share