ଆସନ୍ତା ଶିକ୍ଷାବର୍ଷରୁ ଯୁକ୍ତ୩ ପାଠ୍ୟକ୍ରମରେ ସାମିଲ ହେବ ଏନ୍‌ସିସି

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷରୁ ଯୁକ୍ତ ୩ରେ ସାମିଲ ହେବ ଏନ୍‌ସିସି ପାଠ୍ୟକ୍ରମ। ଏନେଇ ଶନିବାର ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ସୂଚନା ଦେଇଛନ୍ତି। ଯୁକ୍ତ ୩ ପିଲା ଏନ୍‌ସିସିକୁ ଏକ ଇଲେକ୍ଟିଭ୍‌ ଭାବେ ନେଇ ପାରିବେ। ଏନ୍‌ସିସି କିପରି ଭାବେ ପାଠ୍ୟକ୍ରମରେ ସାମିଲ ହେବ ସେନେଇ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। ପୂର୍ବରୁ ଏନ୍‌ସିସି କେବଳ ପ୍ରାକ୍ଟିକାଲ ଓ ଫିଲ୍ଡ ଥିଓରୀରେ ଚାଲିଥିଲା। ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ପାଠ୍ୟକ୍ରମ ଭାବେ କ୍ଲାସ ରୁମ୍‌ରେ ପଢ଼ାଯିବ ବୋଲି ସେ କହିଛନ୍ତି।

ରାଜ୍ୟର ୧୮୩ କଲେଜରେ ଏହା ଆରମ୍ଭ ହେବ। ସ୍ଥାୟୀ କିମ୍ବା ଗେଷ୍ଟ ଫ୍ୟାକଲ୍ଟି ଏହି କାର୍ଯ୍ୟ ତୁଲାଇବେ। ଏନ୍‌ସିସି ନିର୍ଦ୍ଦେଶକ ଏହି ନିଯୁକ୍ତି କାର୍ଯ୍ୟ କରିବେ। ଏନ୍‌ସିସି କର୍ତ୍ତୃପକ୍ଷ ପରୀକ୍ଷା ପରିଚାଳନା, ଫଳାଫଳ ଓ ସାର୍ଟିଫିକେଟ ପ୍ରଦାନ କରିବେ। ଅନ୍ୟ ବିଷୟ ଭଳି ଏଥିରେ ମଧ୍ୟ ଫୁଲ ମାର୍କ, ପାସ ମାର୍କ ଓ ସିଲାବସ୍‌ ରହିବ। ସବୁ କଲେଜରେ ୨ ଜଣ ଲେଖାଏ ଏଏନ୍‌ଓଙ୍କୁ ତାଲିମ ଦେବା ନିମନ୍ତେ ମଧ୍ୟ ଚେଷ୍ଟା କରାଯିବ। ପିପିପି ମୋଡ୍‌ରେ ଏହା ଆରମ୍ଭ କରାଯାଉଛି, ଯାହାକି ପିଲାମାନଙ୍କ ବ୍ୟକ୍ତିତ୍ୱ ଗଠନ ସହିତ ନିଯୁକ୍ତି କ୍ଷେତ୍ରକୁ ସୁଦୂର ପ୍ରସାର କରିବ ବୋଲି ଉପାଧ୍ୟକ୍ଷ ଦାସ କହିଛନ୍ତି।