ନୟାଗଡ଼ ଜିଲା: ସଙ୍କଟରେ ଚାଷୀ ଓ ଚାଷ

ନୟାଗଡ଼ ଅଫିସ,୧୫ା୮: କୃଷିପ୍ରଧାନ ନୟାଗଡ଼ ଜିଲାରେ ଚାଷୀ ଓ ଚାଷ ସଙ୍କଟରେ। ପ୍ରତିକାର ନ ଥିବାରୁ ଚାଷୀ ଚାଷ ପ୍ରତି ବୀତସ୍ପୃହ ହୋଇପଡୁଛି। ଏହାର ସମାଧାନ ପାଇଁ ଜିଲାର କେତେଜଣ ଚାଷୀ ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଭାଜପା କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ମଧ୍ୟ ଜିଲାପାଳଙ୍କୁ ଭେଟି ସମସ୍ୟା ସମାଧାନ କରିବାକୁ ଅନୁରୋଧ କରିଛନ୍ତି।
ବର୍ଷା ଅଭାବରୁ ଜିଲାର ଅନେକ ଜମିରେ ଧାନ ତଳି ନଷ୍ଟ ହୋଇସାରିଛ। ଦରକାର ସମୟରେ ଜଳସେଚନ ପ୍ରକଳ୍ପରୁ ପାଣି ଜମିରେ ମାଡି ପାରୁନି। ଅଧିକାଂଶ ଉଠାଜଳସେଚନ ପ୍ରକଳ୍ପ ଅଚଳ ହୋଇରହିଛି। ନିକଟରେ ନଦୀ ପ୍ରବାହିତ ହୋଇ ବି ଜମିରେ ପାଣି ନାହିଁ। ଅନ୍ୟପକ୍ଷେ ବେଉଷଣ ଶେଷ ହେଉଥିବା ଜମିରେ ସାର ପକାଇବାରେ ଅସୁବିଧା ହେଉଛି। କୃତ୍ରିମ ଅଭାବ ଯୋଗୁ ଚାଷୀ ଅଧିକ ଦରରେ ସାର କିଣୁଛ। ୟୁରିଆ ସାର ବସ୍ତା ପ୍ରତି ସରକାରୀ ଦର ୨୭୦ ଟଙ୍କା ଥିବାବେଳେ କଳାବଜାରରେ ୪୩୦ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି। ହୋଲସେଲରମାନେ ସରକାରୀ ନୀତିନିୟମ ନ ମାନି କୃତ୍ରିମ ଅଭାବ ସୃଷ୍ଟି କରି ଚାଲିଛନ୍ତି। କୃଷି ବିଭାଗରେ ଅଭିଯୋଗ କଲେ ସୁଫଳ ମିଳୁନି। ପ୍ରଚାର ଓ ପ୍ରସାର ଅଭାବରୁ ଅଧିକାଂଶ ଚାଷୀ ନଁା ପଞ୍ଜୀକୃତ କରିପାରୁ ନାହାନ୍ତି। ପୁଣି ନଁା ପଞ୍ଜୀକୃତ ହୋଇଥିଲେ ବି କେତେକ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାନ୍ତି। ଫଳରେ ସ୍ବଳ୍ପ ଦାମରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଧିକାଂଶ ଚାଷୀ ନଁା ପଞ୍ଜୀକୃତ କରିପାରି ନାହାନ୍ତି। ବିଳମ୍ବରେ (ଜୁଲାଇ ୨୪) ପୋର୍ଟାଲ ଖୋଲିବା ଓ ଅଧିକାଂଶ ସମୟରେ ସରଭର ସମସ୍ୟା ଯୋଗୁ ଚାଷୀ ପଞ୍ଜୀକୃତ କରିପାରି ନାହାନ୍ତି। ଏଣୁ ଫସଲ ବୀମା ଅବଧିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି ରହିଛି। କାଳିଆ ସହାୟତା ପ୍ରଦାନରେ ଅବହେଳା ନେଇ କେତେକ ଚାଷୀ ଅଭିଯୋଗ କରିଛନ୍ତି। ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ ଯେଉଁ ଚାଷୀ ସାମିଲ ହୋଇପାରୁ ନାହାନ୍ତି ସେମାନଙ୍କ ନଁା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ଚାଷୀମାନେ ଅନୁରୋଧ କରିଛନ୍ତି। ଏ ନେଇ ଭାଜପା କୃଷକ ମୋର୍ଚ୍ଚା ଜିଲା ସଭାପତି ଶ୍ରୀନିବାସ ପ୍ରଧାନ ଓ କୃଷକ ନେତା ସନ୍ତୋଷ କୁମାର ପ୍ରଧାନ କୁହନ୍ତି, ଚାଷୀଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ବରପଲ୍ଲୀର ଚାଷୀ ଜଳିଆ ସ୍ବାଇଁ କୁହନ୍ତି, ଚାଷୀ ଖରିଫ ଋତୁରେ ପ୍ରାରମ୍ଭରୁ ହଇରାଣ ହେଉଛି। ମରୁଡି ପରେ ଏବେ ସାରର କୃତ୍ରିମ ଅଭାବ ଦେଖାଦେଇଛି। ଚାଷୀ ଅଧିକ ଦାମ୍‌ରେ ସାର କିଣୁଥିଲେ ମଧ୍ୟ ପ୍ରତିକାର ନାହିଁ।