ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ ସରପଞ୍ଚ ରଶ୍ମିତା ସାହୁ। ସେ ଗୁରୁବାର ଭାଜପାର ଏକ ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ରଶ୍ମିତାଙ୍କ ସମେତ ୱାର୍ଡ ସଭ୍ୟା ହରିମଣି ମାଝୀ ଓ ୮ ଜଣ ମହିଳା ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି। ରଶ୍ମିତା ନାଏବ ସରପଞ୍ଚ ସମେତ ଏସ୍‌ଏଚ୍‌ଜି ସଦସ୍ୟା ଅଛନ୍ତି। ତେବେ ସେ କହିଛନ୍ତି ଗତ ୮ ତାରିଖରେ ସଦାଶିବ ତାଙ୍କୁ ଓ ତାଙ୍କ ସମର୍ଥକଙ୍କୁ ଋଣ କରାଇଦେବାକୁ କହି ଦଳୀୟ କାର୍ଯ୍ୟାଳୟକୁ ଡାକିଥିଲେ। ଦଳୀୟ ଯୋଜନା ସମ୍ପର୍କରେ ଭାଷଣ ଦେଇ ସମସ୍ତଙ୍କ ବେକରେ ବିଜେଡି ପତାକା ପକାଇଥିଲେ ବୋଲି ରଶ୍ମିତା ଅଭିଯୋଗ ଆଣିଛନ୍ତି। ଖବରଦାତା ସମ୍ମିଳନୀରେ ଜିଲା ଭାଜପା ସଭାପତି ଜଗଦୀଶ ବିଷୋୟୀ, ନବରଙ୍ଗପୁର ନିର୍ବାଚନମଣ୍ଡଳୀ ଭାଜପା ବିଧାନସଭା ପ୍ରାର୍ଥୀ ଗୌରୀଶଙ୍କର ମାଝି, କାହ୍ନୁ ଦାଶ, ଶର୍ମିଷ୍ଠା ଦେଓ ପ୍ରମୁଖ ଉପସ୍ଥିତ ଥିଲେ। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କୁ ପଚାରିବାରୁ ସେ ରଶ୍ମିତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନାଏବ ସରପଞ୍ଚ ରଶ୍ମିତା ନିଜେ ଗଣମାଧ୍ୟମ ଆଗରେ ବିଜେଡିରେ ଯୋଗ ଦେବା କଥା କାହିଁକି କହିଥିଲେ ବୋଲି ସେ ପ୍ରଶ୍ନ କରିଥିଲେ। ଅନ୍ୟପଟେ ନବରଙ୍ଗପୁର ଭାଜପା ବିଧାୟକ ପ୍ରାର୍ଥୀ ଗୌରୀଶଙ୍କର ମାଝି ଏହାକୁ ନେଇ ବିଧାୟକ ପ୍ରଧାନୀଙ୍କୁ ଟାର୍ଗେଟ କରିଛନ୍ତି।