ପାକିସ୍ତାନ ଫେରିବେ ନୱାଜ: ଜାରି ହେଲା ୧୦ ବର୍ଷ ପାଇଁ ପାସପୋର୍ଟ

ଇସଲାମାବାଦ,୨୬ ।୪: ଇମ୍ରାନ ଖାଁଙ୍କୁ ଗାଦିଚ୍ୟୁତ କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ଶହବାଜ ଶରିଫ ଯେଉଁ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ତାହା ହେଲା ଭାଇ ନୱାଜ ଶରିଫଙ୍କୁ ପାକିସ୍ତାନ ଫେରାଇ ଆଣିବା । ଶହବାଜ ପ୍ରଧାନମନ୍ତ୍ରୀ ହେବା ପରେ ପରେ ଏହା ଘୋଷଣା କରିଥିଲେ । ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ପାକିସ୍ତାନ ଫେରିବାର ରାସ୍ତା ସଫା ହୋଇଯାଇଛି । ପାକିସ୍ତାନ ସରକାର ତାଙ୍କୁ ବ୍ରିଟେନରୁ ଫେରାଇ ଆଣିବାକୁ ପାସପୋର୍ଟ ଜାରି କରିଦେଇଛନ୍ତି ।
ସୂଚନା ମୁତାବକ ନୱାଜଙ୍କ ପାସପୋର୍ଟ ଅବଧି ଗତ ବର୍ଷ ଶେଷ ହୋଇଯାଇଥିଲା । ହେଲେ ଇମ୍ରାନ ଖାଁ ସରକାର ଏହାକୁ ଅପଡେଟ କରୁ ନ ଥିଲେ । ସେଥିପାଇଁ ନୱାଜ ଶରିଫ ଲଣ୍ଡନରେ ରହୁଥିଲେ । ଏବେ ଯେତେବେଳେ ସାନଭାଇ ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି ସେ ଏହି କାମକୁ ପ୍ରଥମେ କରିଛନ୍ତି । ସେ ନୱାଜ ଶରିଫଙ୍କ ପାଇଁ ଯେଉଁ ପାସପୋର୍ଟ ଜାରି କରିଛନ୍ତି ତାହା ସାଧାରଣ ଓ ତତ୍‌କାଳ କାଟାଗୋରୀର । ଏହି ପାସପୋର୍ଟର ତାରିଖ ୨୩ ଏପ୍ରିଲ ୨୦୨୨ ଥିବା ବେଳେ ଏହାର ଭାଲିଡିଟି ୧୦ ବର୍ଷ ପର୍ଯ୍ୟନ୍ତ ରହିଛି ।

Share