Categories: ଜାତୀୟ

ଆଣ୍ଟି-ଶିପ୍‌ ମିଜାଇଲର ସଫଳ ପରୀକ୍ଷଣ କଲା ନୌସେନା…

ନୂଆଦିଲ୍ଲୀ, ୧୮।୫ : ଭାରତୀୟ ନୌସେନା ପକ୍ଷରୁ ଏକ ଆଣ୍ଟି-ଶିପ୍‌ ମିଜାଇଲର ସଫଳ ପରୀକ୍ଷଣ କରାଯାଇଛି। ବୁଧବାର ନୌସେନା ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ନୌସେନା ଏକ ସେକିଂ ହେଲିକପ୍ଟରରୁ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ପ୍ରଥମ ଆଣ୍ଟି-ଶିପ୍‌ ମିଜାଇଲର ସଫଳ ପରୀକ୍ଷଣ କରିଛି।

ଏହି ପରୀକ୍ଷା ଓଡିଶାର ବାଲେଶ୍ୱର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ ଚାନ୍ଦିପୁରରେ ଡିଆର୍‌ଡିଓ ଦ୍ୱାରା କରାଯାଇଛି। ଡିଆର୍‌ଡିଓ ସୂତ୍ରରୁ ପ୍ରକାଶ ଯେ ଏହା ସଫଳ ହୋଇଛି। ଏହି କ୍ଷେପଣାସ୍ତ୍ର ପୂର୍ବ ନିର୍ଦ୍ଧାରିତ ପଥରେ ଅଗ୍ରସର ହୋଇଥିଲା ଏବଂ ସମ୍ପୂର୍ଣ୍ଣ ସଠିକତା ସହିତ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା । ସମସ୍ତ ସିଷ୍ଟମର କାର୍ଯ୍ୟଦକ୍ଷତାକୁ ସନ୍ତୋଷଜନକ ବୋଲି ବର୍ଣ୍ଣନା କରି ଡିଆର୍‌ଡିଓ କହିଛି ଯେ ପରୀକ୍ଷଣ ପରିସରରେ ସେନ୍ସର ସ୍ଥାପନ କରାଯାଇଥିଲା ଏବଂ କ୍ଷେପଣାସ୍ତ୍ରର ଟ୍ରାଜେକ୍ଟୋରୀ ଉପରେ ନଜର ରଖାଯାଇଥିଲା।

କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଭାରତୀୟ ନୌସେନାର ସ୍ବଦେଶୀକରଣ ପ୍ରତିବଦ୍ଧତାକୁ ଏହା ପୁଣିଥରେ ପ୍ରମାଣିତ କରିଛି ବୋଲି ନୌସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଟୁଇଟରରେ ଭାରତୀୟ ନୌସେନା ସେକିଂ ୪୨-ବି ହେଲିକପ୍ଟରରୁ କ୍ଷେପଣାସ୍ତ୍ର ଚଳାଇବାର ଏକ କ୍ଷୁଦ୍ର ଭିଡିଓ ଜାରି କରିଛି। ଏହି କ୍ଷେପଣାସ୍ତ୍ରରେ ହେଲିକପ୍ଟର ପାଇଁ ଏକ ସ୍ବଦେଶୀ ବିକଶିତ ଲଞ୍ଚର୍‌ ସହିତ ଅନେକ ନୂତନ ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ କରାଯାଇଛି। ଏହି ମିଜାଇଲ ସିଷ୍ଟମରେ ଅତ୍ୟାଧୁନିକ ନାଭିଗେଶନ ଏବଂ ଇଣ୍ଟିଗ୍ରେଟେଡ ଆଭିଏନିକ୍ସ ମଧ୍ୟ ଅନ୍ତର୍ଭୁକ୍ତ।

Share