Categories: ଜାତୀୟ

ଉଦ୍ଧବ ଠାକ୍‌ରେଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ନବନୀତ

ମୁମ୍ବାଇ,୧୧।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବାସଭବନ ମାତୋଶ୍ରୀ ଆଗରେ ହନୁମାନ ଚାଳିଶା ପାଠ ବିବାଦ ଥମିବାର ନାଁ ନେଉନାହିଁ। ଏହି ଘଟଣାରେ ଜେଲ୍‌ ଯାଇ ଜାମିନରେ ଆସିଥିବା ଅମରାବତୀର ସ୍ବାଧୀନ ଏମ୍‌ପି ନବନୀତ୍‌ ରାଣା ବୁଧବାର ପୁଣି ଉଦ୍ଧବ ଠାକ୍‌ରେଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇଛନ୍ତି। ସେ କହିଛନ୍ତି, ଉଦ୍ଧବ ଠାକରେ, ତୁମେ କୁହ ଯେ ତୁମେ କେଉଁଠାରୁ ନିର୍ବାଚନ ଲଢିବାକୁ ଚାହୁଁଛ, ମୁଁ ସେଠାରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବି। ମୁଁ ଏବଂ ମୋ ସ୍ବାମୀ ରବି ରାଣା ଜୀ ମେ ୧୪ ସକାଳ ୯ ଟାରେ, ଦିଲ୍ଲୀର କନ୍ନାଟ ପ୍ଲେସସ୍ଥିତ ପ୍ରାଚୀନ ହନୁମାନ ମନ୍ଦିରରେ ଆଳତୀ କରିବୁ। ଉଦ୍ଧବ ସରକାର ଯୋଗୁ ମହାରାଷ୍ଟ୍ରରେ ଚାଲିଥିବା ସଙ୍କଟ ଦୂର ପାଇଁ ଏହି ଆଳତୀ କରାଯିବ।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ପାଠ କରିବାକୁ ନବନୀତ୍‌ ଏବଂ ରବି ରାଣା ଘୋଷଣା କରିଥିଲେ। ଶାନ୍ତି ଭଙ୍ଗ କରିବା, ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବିସ୍ତାର କରିବା ଏବଂ ଦେଶଦ୍ରୋହ ଅଭିଯୋଗରେ ରାଣା ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ନିକଟରେ ଉଭୟ ସର୍ତ୍ତମୂଳକ ଜାମିନ ପାଇ ଜେଲ୍‌ରୁ ମୁକ୍ତ ହୋଇଛନ୍ତି।

 

Share