Categories: ଜାତୀୟ

ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହେଲେ ସିଦ୍ଧୁ

ଚଣ୍ଡିଗଡ଼,୨୩।୭: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଜାରି ହୋଇଥିବା କନ୍ଦଳ ଏବେ କିଛି ମାତ୍ରାରେ ଦୂର ହୋଇଛି। ଶୁକ୍ରବାର ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସମାରୋହରେ ରାଜ୍ୟର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ରାଜ୍ୟ ପ୍ରଭାରୀ ହରିଶ ରାଓ୍ବତ ମଧ୍ୟ ଉପସ୍ଥିତ ଥିଲେ। ଦୀର୍ଘ ଦିନ ପରେ ଗୋଟିଏ ମଞ୍ଚରେ କ୍ୟାପଟେନ ଅମରିନ୍ଦର ଓ ସିଦ୍ଧୁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ୨ଜଣ ନେତା କଂଗ୍ରେସ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ। କିନ୍ତୁ ସିଦ୍ଧୁ ଥରେ ବି କ୍ୟାପଟେନଙ୍କ ନାମ ନେଇ ନ ଥିବା ଚର୍ଚ୍ଚା ହେଉଛି। ତେବେ ପଦ ସମ୍ଭାଳିବା ପରେ ସିଦ୍ଧୁ ରଣହୁଙ୍କାର ଦେଇଛନ୍ତି। ସେ ପ୍ରଥମେ କେନ୍ଦ୍ରକୁ ଟାର୍ଗେଟ କରି କୃଷକଙ୍କ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଏବେ ତାଙ୍କର ଗୋଟିଏ ମାତ୍ର ମିଶନ ପଞ୍ଜାବକୁ ଜିତାଇବା ଓ ଆଗକୁ ନେବା। ଅନ୍ୟପଟେ ପଦ ସମ୍ଭାଳିବା ପରେ ନବଜୋତ ସିଂ ସିଦ୍ଧୁ ଓ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ଭବନରେ ଏକାଠି ବସି ଚା’ ପିଇଛନ୍ତି। କଂଗ୍ରେସର ସମସ୍ତ ବିଧାୟକ ଓ ନେତା ମଧ୍ୟ ଏହି ଚା’ ପାର୍ଟିରେ ସାମିଲ ହୋଇଥିଲେ। ସିଦ୍ଧୁ ଓ କ୍ୟାପଟେନ ଏକାସାଙ୍ଗରେ ଚା’ ପିଇବା ପରେ ଅନୁମାନ କରାଯାଉଛି ଯେ, ସେମାନଙ୍କ ମଧ୍ୟରେ ଥିବା କନ୍ଦଳ ବା ମନୋମାଳିନ୍ୟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Share