Categories: ଜାତୀୟ

ଜେଲ୍‌ରେ ଥାଇ ଅଭିଯୋଗ ଆଣିଲେ ସିଦ୍ଧୁ

ପଟିଆଲା,୧୪।୭: ରୋଡରେଜ୍‌ ମାମଲାରେ ପଟିଆଲା ସେଣ୍ଟ୍ରାଲ ଜେଲରେ ଜେଲଦଣ୍ଡ ଭୋଗୁଥିବା ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସିଦ୍ଧୁଙ୍କ ସହ ରହୁଥିବା କଏଦୀମାନେ ତାଙ୍କ ସହ ଦୁର୍ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। ସେ ଏ ସମ୍ପର୍କରେ ଜେଲ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ସିଦ୍ଧୁ କହିଛନ୍ତି, ସାଥୀ କଏଦୀମାନେ ସୂଚନା ନ ଦେଇ ତାଙ୍କ କାର୍ଡରେ ଜେଲ କ୍ୟାଣ୍ଟିନରୁ ନିଜ ପାଇଁ କ୍ରୟ କରିଛନ୍ତି।
ସୂଚନାନୁସାରେ, ସିଦ୍ଧୁଙ୍କ ସହ ଆଉ ପାଞ୍ଚ ଜଣ କଏଦୀ ଜେଲ ବ୍ୟାରେକରେ ରହିଛନ୍ତି। ସିଦ୍ଧୁଙ୍କ ସୁରକ୍ଷା ଦେଖି ତାଙ୍କୁ ବ୍ୟାରେକରୁ ଅଧିକ ବାହାରକୁ ଯିବାକୁ ଦିଆଯାଇ ନ ଥାଏ। ଯଦି ସିଦ୍ଧୁ ଜେଲର କ୍ୟାଣ୍ଟିନରୁ କିଛି ଖାଇବା ଆଣିବାକୁ ଚାହଁିଥାନ୍ତି, ତେବେ ସାଥୀ କଏଦୀ ତାଙ୍କ କ୍ୟାଣ୍ଟିନ୍‌ କାର୍ଡ ଦେଖାଇ ଆଣିଥାନ୍ତି। ଏହାର ସୁଯୋଗ ନେଇ ସିଦ୍ଧୁଙ୍କ କାର୍ଡ ବ୍ୟବହାର କରି ସାଥୀ କଏଦୀ ମାନେ ନିଜ ପାଇଁ ମଧ୍ୟ ଖାଦ୍ୟ ସାମଗ୍ରୀ କିଣୁଥିଲେ। ସିଦ୍ଧୁ ଏନେଇ କହିବାରୁ ସେମାନେ ତାଙ୍କ ସହ ଦୁର୍ବ୍ୟବହାର କରୁଥିଲେ। ଏହି ବିବାଦର ଅନ୍ତ ଘଟାଇବା ପାଇଁ ଜେଲ ପ୍ରଶାସନ ପକ୍ଷରୁ ସିଦ୍ଧୁଙ୍କ ସହ ଥିବା କଏଦୀମାନଙ୍କ ବ୍ୟାରେକକୁ ବଦଳାଇ ଦିଆଯାଇଛି।

Share