Categories: ଜାତୀୟ

ଇସ୍ତଫା ଫେରାଇ ନେଇପାରନ୍ତି ସିଦ୍ଧୁ

ଚଣ୍ଡିଗଡ଼,୧୪ ।୧୦: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ ତାଙ୍କର ଇସ୍ତଫା ଫେରାଇ ନେଇ ପାରନ୍ତି ବୋଲି କୁହାଯାଉଛି । ଗୁରୁବାର ସେ ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ବୁଧବାର ନବଜୋତ ସିଂ ସିଦ୍ଧୁ କହିଥିଲେ ତାଙ୍କୁ ମିଳିଥିବା ସମ୍ମାନ ପାଇଁ ସେ ସବୁବେଳେ କଂଗ୍ରେସ ହାଇକମାଣ୍ଡଙ୍କ ନିକଟରେ କୃତଜ୍ଞ ରହିବେ । ଏହାସହ ସେ ଜୋର ଦେଇ କହିଥିଲେ କି ସେ କେବେ ସାଲିସ କରିବେ ନାହିଁ । ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେଉଁମାନେ ତାଙ୍କର ପଞ୍ଜାବ ପ୍ରତି ଥିବା ଭଲପାଇବାକୁ ବୁଝିଛନ୍ତି ସେମାନେ କେବେହେଲେ ତାଙ୍କୁ ଦୋଷାରୋପ କରିବେ ନାହିଁ । ଟୁଇଟରରେ ଏକ ଭିଡିଓ ଶେୟାର କରି ପଞ୍ଜାବ ସହ ଜଡିତ ଅନେକ ସମସ୍ୟା କଥା କହିଛନ୍ତି । ସେ କହିଛନ୍ତି ପଞ୍ଜାବକୁ ମୁଁ ଭଲପାଏ । ଏହାକୁ ବୁଝିପାରୁଥିବା ଲୋକେ ମୋତେ ଦୋଷାରୋପ କରିବେ ନାହିଁ । ସବୁଠି ମୋ ପ୍ରତିଭାକୁ ଅଣଦେଖା କରାଯାଇଛି । ରାଜନୀତିରେ ୫କୁ ୫୦ କରିଦିଆ ଯାଇପାରେ ଓ ୫୦କୁ ଶୂନରେ ବଦଳା ଯାଇପାରେ । ସୂଚନାଯୋଗ୍ୟ, ସିଦ୍ଧୁ ଗୁରୁବାର କଂଗ୍ରେସ ସଙ୍ଗଠନର ମହାସଚିବ କେସି ଭେନୁଗୋପାଳ ଓ ପ୍ରଦେଶ ପ୍ରଭାରୀ ହରିଶ ରାୱତଙ୍କ ସହ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଦଳର ସଙ୍ଗଠନାତ୍ମକ କାର୍ଯ୍ୟକୁ ନେଇ ଆଲୋଚନା କରାଯିବ । ହରିଶ ରାୱତ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସହ ଜଡିତ କିଛି ସଙ୍ଗଠନାତ୍ମକ ଘଟଣାକୁ ନେଇ ୧୪ ଅକ୍ଟୋବର ସନ୍ଧ୍ୟା ୬ଟାରେ ମୋ ସହ ଓ ଭେନୁଗୋପାଳଙ୍କ ସହ ସାକ୍ଷାତ୍ କରିବେ । ଏହା ଭେନୁଗୋପାଳଙ୍କ କାର୍ଯ୍ୟାଳୟରେ ହେବ ବୋଲି ରାୱତ କହିଛନ୍ତି ।

Share