Categories: ଜାତୀୟ

ଅମରିନ୍ଦର କୃଷି ଆଇନର ନିର୍ମାତା: ସିଦ୍ଧୁ

ଚଣ୍ଡିଗଡ଼,୨୧ ।୧୦: ପଞ୍ଜାବ ରାଜନୀତିରେ ଟଣା ଭିଡା ଲାଗି ରହୁଛି । ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ପ୍ରଥମ ଥର ଲାଗି ତାଙ୍କୁ ଟାର୍ଗେଟ କରିଛନ୍ତି ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । କ୍ୟାପଟେନ କଂଗ୍ରେସରୁ ବାହାରି ଯାଇ ନୂଆ ଦଳ ଗଠନ କରିବାର ଘୋଷଣା କରିବା ପରେ ସିଦ୍ଧୁ ଏହାକୁ ନେଇ ଟିପ୍ପଣି ଦେଇଛନ୍ତି । ଗୁରୁବାର ସିଦ୍ଧୁ କ୍ୟାପଟେନଙ୍କର ଏକ ପୁରୁଣା ଭିଡିଓ ଟୁଇଟରରେ ଶେୟାର କରି କହିଛନ୍ତି ଏ ହେଉଛନ୍ତି ୩ କଳା ଆଇନର ନିର୍ମାତା । ଯିଏ ଅମ୍ବାନିକୁ ପଞ୍ଜାବର କୃଷକଙ୍କୁ ପାଖକୁ ନେଇ ଆସିଛନ୍ତି, ଯିଏ ପଞ୍ଜାବର କୃଷକ, ଛୋଟ ବ୍ୟବସାୟୀ ଓ ଶ୍ରମିକଙ୍କୁ ନଷ୍ଟ କରି ଦେଇଛନ୍ତି । ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅବରିନ୍ଦର ସିଂ କଂଗ୍ରେସ ଛାଡି ତାଙ୍କର ନୂଆ ଦଳ ନଭେମ୍ବରରେ ଗଢିବେ ବୋଲି ଘୋଷଣା କରିଥିଲେ । ଏହାପରେ ଅନୁମାନ ଲଗାଯାଇଛି କି ସେ ନୂଆ ଦଳ ଗଠନ କରି ଭାରତୀୟ ଜନତା ପାର୍ଟି(ଭାଜପା) ସହ ମେଣ୍ଟ କରିପାରନ୍ତି । କାରଣ ନିକଟ ଅତିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଭାଜପାର ବହୁ ବଡ ବଡ ନେତାଙ୍କୁ ସେ ସାକ୍ଷାତ୍ କରି ସାରିଛନ୍ତି । ତେବେ ଏହା କେତେଦୂର ଠିକ୍ ତାହା ସମୟ ଆସିଲେ ଜଣାପଡିବ । ଅର୍ଥାତ୍ ସେ ନୂଆ ଦଳ ଗଠନ କରି କାମ ଆରମ୍ଭ କଲା ପରେ ଜଣାପଡିବ ।

Share