‘ଜୁନ ୯ରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ’, ଘୋଷଣା କଲେ ପାଣ୍ଡିଆନ

କଳାହାଣ୍ଡି,୬।୫: ଜୁନ୍ ୯ ସକାଳ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଇତିହାସ ରଚିବେ । ସୋମବାର ଭବାନୀପାଟଣା ମଞ୍ଚରୁ କିଛି ଏଭଳି ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ସକାଳେ ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କଥା କହିଥିଲା ବେଳେ ପାଣ୍ଡିଆନଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ତାରିଖ କହି ପାଣ୍ଡିଆନ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି।

ଏହି ଅବସରରେ ପାଣ୍ଡିଆନ କହିଛନ୍ତି, ଓଡ଼ିଶାରେ ନବୀନ ସରକାରଙ୍କର କୌଣସି ଯୋଜନା ବନ୍ଦ ହେବନି । ଗରିବ ଲୋକଙ୍କୁ ସଶକ୍ତ କରୁଥିବା ଯୋଜନାକୁ ଓଡ଼ିଶାରେ କେହି ବନ୍ଦ କରିପାରିବେନି ବୋଲି ପାଣ୍ଡିଆନ କହିଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବ୍ରହ୍ମପୁର ସଭାରେ କହିଥିଲେ, ଭାଜପା ଆସନ୍ତା ପାଞ୍ଚ ବର୍ଷରେ ଓଡ଼ିଶାକୁ ଏକ ନମ୍ବର କରିବ। ସରକାରକୁ ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ତେବେ ଭବାନୀପାଟଣାରେ ଆୟୁଷ୍ମାନ ଯୋଜନା ଠାରୁ ବିଏସକେୱାଇ ଯୋଜନା ଭଲ ବୋଲି କହିଛନ୍ତି ପାଣ୍ଡିଆନ । ଏହାସହ ବିଭିନ୍ନ ଲୋକାଭିମୁଖୀ ଯୋଜନାର ହିସାବ ଦେଇ ପାଣ୍ଡିଆନ କହିଛନ୍ତି, ଓଡ଼ିଶାବାସୀଙ୍କୁ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା କରିଛନ୍ତି । ତେଣୁ ଏଥର ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।