‘ଡାକୋଟା’କୁ ବିମାନ ବନ୍ଦରରେ ସ୍ବାଗତ କଲେ ନବୀନ

ଭୁବନେଶ୍ୱର,୧୮ା୧(ଭୁବନେଶ୍ୱର): ଭୁବନେଶ୍ୱର ବିମାନ ବନ୍ଦରରେ ବୁଧବାର ବିଜୁ ବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ‘ଡାକୋଟା’ ଉପରେ ନବୀନ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ବିଜୁ ବାବୁଙ୍କ ଏହି ସର୍ବଶ୍ରେଷ୍ଠ ସ୍ମୃତି ତଥା ସନ୍ତକ ଆଜିଠାରୁ ବିଜୁ ଭୁବନେଶ୍ୱର ବିମାନ ବନ୍ଦରରେ ରହିବ। ସାଧାରଣ ଜନତାଙ୍କ ପାଇଁ ଏହା ପ୍ରଦର୍ଶିତ ହେବ।

‘ଡାକୋଟା’ର ବଭିନ୍ନ ଅଂଶକୁ ୩ଟି ଟ୍ରଲରରେ ଲୋଡ୍‌ କରାଯାଇ ଭୁବନେଶ୍ୱର ଅଣାଯାଇଛି। ଏଆର୍‌ଡିସିର ୧୦ ଜଣିଆ ଟିମ୍‌ ୧୨ ଦିନ ଧରି ବିମାନ ଖୋଲିବା କାମରେ ନିୟୋଜିତ ହୋଇଥିଲେ। ବିମାନଟିକୁ ସୁରକ୍ଷାର ସହିତ ସୀମା ପାର୍‌ କରାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା। ଶେଷରେ ଏହା ଭୁବନେଶ୍ୱରରେ ପହଞ୍ଚିଛି।

ସୂଚନାଯୋଗ୍ୟ, ବିଜୁ ପଟ୍ଟନାୟକ କଳିଙ୍ଗ ଏୟାରଲାଇନ୍ସର ପ୍ରତିଷ୍ଠା କରିଥିବା ବେଳେ ସେଥିରେ ୧୮ଟି ‘ଡାକୋଟା’ ବିମାନ ଥିଲା। ବିମାନଗୁଡ଼ିକ କୋଲକାତାରୁ ବିଭିନ୍ନ ସ୍ଥାନକୁ ସେବା ଯୋଗାଉଥିଲା। ଗୋଟିଏ ବିମାନକୁ ବିଜୁ ବାବୁ ବ୍ୟବହାର କରୁଥିଲେ। ଯାହାକି ‘ଡାକୋଟା’(ଡିସି-୩) ଭିଟି-ଏୟୁଆଇ ଥିଲା। ଉକ୍ତ ବିମାନର ଲମ୍ବ ୬୪ ଫୁଟ ୮ ଇଞ୍ଚ।