Categories: ଖେଳ

ଚର୍ଚ୍ଚାରେ ଏହି ଯୁବ ଆଫଗାନିସ୍ତାନ କ୍ରିକେଟର: କହିଲେ ‘ଧୋନୀଙ୍କ ଅଧୀନରେ ଖେଳିବା ମୋର ସ୍ବପ୍ନ, ଭବିଷ୍ୟତରେ…’

ନୂଆଦିଲ୍ଲୀ,୧୫।୬: ନିକଟ ଅତୀତରେ ଆଫଗାନିସ୍ତାନର କ୍ରିକେଟରମାନେ ଉଲ୍ଲେଖନୀୟ କ୍ରିକେଟ ଖେଳି ଚର୍ଚ୍ଚାରେ ରହିଥିଲେ। ସେମାନଙ୍କ ମଧ୍ୟରୁ ମୁଜିବ-ଉର-ରହମନ ଏବଂ ରଶିଦ ଖାନ ଭଳି ସ୍ପିନ୍‌ ବୋଲର୍‌ ଅନ୍ୟତମ। ଏହାଛଡ଼ା ଦ୍ରୁତ ବୋଲର୍‌ ନବୀନ-ଉଲ୍‌-ହକ ମଧ୍ୟ ଆଫଗାନିସ୍ତାନର ଜଣେ ଉଦୀୟମାନ ଖେଳାଳି। ସେ ଟପ୍‌ ଟି-୨୦ ଲିଗ୍‌ରେ ଭଲ ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରିଛନ୍ତି। ତେବେ ନବୀନଙ୍କ ଅନ୍ୟ ଏକ ସ୍ବପ୍ନ ଅଛି ଯାହା ସେ ଭବିଷ୍ୟତରେ ପୂରଣ କରିବାକୁ ଚାହୁଁଛନ୍ତି। ସେ ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କ ଅଧୀନରେ ଖେଳିବାକୁ ଇଚ୍ଛା ରଖିଛନ୍ତି।

ଯଦି ସୁଯୋଗ ମିଳେ ତେବେ କେଉଁ ଦଳ ପକ୍ଷରୁ ଆଇପିଏଲ୍‌ ଖେଳିବାକୁ ଚାହିଁବ ବୋଲି ଆଫଗାନିସ୍ତାନ କ୍ରିକେଟରଙ୍କୁ ଏକ ସାକ୍ଷାତକାରରେ ପଚରାଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, ଆଇପିଏଲ୍‌ ଖେଳିବା ପ୍ରତ୍ୟେକ କ୍ରିକେଟରଙ୍କ ସ୍ବପ୍ନ। ମୋର ସ୍ବପ୍ନ ହେଉଛି ଧୋନୀଙ୍କ ଅଧୀନରେ ଖେଳିବା। ଯଦି ସେ ଆଇପିଏଲ୍‌ରେ ନାହାନ୍ତି ତେବେ ଲିଗ୍‌ ଖେଳିବାକୁ ଆଗ୍ରହ ଫିପ୍ଟି-ଫିପ୍ଟି ହୋଇଯିବ। ଧୋନୀଙ୍କୁ ପିଲାଦିନରୁ ଦେଖିଛି, ତାଙ୍କ ବିପକ୍ଷରେ କିମ୍ବା ତାଙ୍କ ସହ ଖେଳିବା ମୋର ସ୍ବପ୍ନ ଥିଲା। ଏବେ ଯାଏ ମୋତେ ସୁଯୋଗ ମିଳିନାହିଁ। ହେଲେ ଆଶା କରୁଛି, ଧୋନୀ ଆଇପିଏଲ୍‌ରେ ଖେଳିବା ଜାରି ରଖିବେ। ମୁଁ ତାଙ୍କ ଅଧୀନରେ ଖେଳିବାର ସୁଯୋଗ ପାଇବି ବୋଲି ସେ କହିଛନ୍ତି।

Share