Categories: ଖେଳ

ଦିନିକିଆ କ୍ରିକେଟରୁ ସନ୍ୟାସ ନେଲେ ଏହି ଆଫଗାନିସ୍ତାନର ଦ୍ରୁତ ବୋଲର

କାବୁଲ,୧୧।୧୧: ଆଫଗାନିସ୍ତାନ ଦ୍ରୁତ ବୋଲର ନବୀନ ଉଲ ହକ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି। ୨୦୨୩ ବିଶ୍ୱକପରେ ଆଫଗାନିସ୍ତାନର ଯାତ୍ରା ଶେଷ ହେବା ମାତ୍ରେ ସେ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି, ସେ ବିଶ୍ୱକପ ପୂର୍ବରୁ ଏହା ଘୋଷଣା କରିସାରିଥିଲେ। ସେପ୍ଟେମ୍ବର ୨୭ରେ ନବୀନ ଉଲ ହକ କହିଥିଲେ ଯେ, ବିଶ୍ୱକପ ପରେ ସେ ଦିନିକିଆ କ୍ରିକେଟରୁ ଅବସର ନେବେ।

ଶୁକ୍ରବାର ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ନବୀନ ତାଙ୍କ ଅବସରକୁ ନିଶ୍ଚିତ କରିଛନ୍ତି। ସେ ତାଙ୍କର କିଛି ଫଟୋ ପୋଷ୍ଟ କରି ଧନ୍ୟବାଦ ଲେଖିଛନ୍ତି ଏବଂ ଆଫଗାନିସ୍ତାନ ପତାକାର ଏକ ଇମୋଜି ମଧ୍ୟ ଦେଇଛନ୍ତି। ଏହି ପୋଷ୍ଟ ପରେ ଏହା ସ୍ପଷ୍ଟ ହୋଇଛି ଯେ ନବୀନଙ୍କୁ ଆଉ ଦିନିକିଆ କ୍ରିକେଟରେ ଆଫଗାନିସ୍ତାନ ଜର୍ସିରେ ଦେଖିବାକୁ ମିଳିବ ନାହିଁ।

ଏହା ପରେ ନବୀନ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ମଧ୍ୟ ଶେୟାର କରିଛନ୍ତି। ଏଠାରେ ସେ ଲେଖିଛନ୍ତି, ପ୍ରଥମ ମ୍ୟାଚ ଠାରୁ ଆଜି ଶେଷ ମ୍ୟାଚ ପର୍ଯ୍ୟନ୍ତ ମୁଁ ଏହି ଜର୍ସିକୁ ବହୁତ ଗର୍ବର ସହ ପିନ୍ଧିଛି। ସମସ୍ତଙ୍କୁ ଶୁଭେଚ୍ଛା ପଠାଇବା ପାଇଁ ବହୁତ ବହୁତ ଧନ୍ୟବାଦ।

ନବୀନ ବର୍ତ୍ତମାନ କେବଳ ଟି -୨୦ କ୍ରିକେଟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ସେ ଆଫଗାନିସ୍ତାନ ପାଇଁ ଟି -୨୦ ଇଣ୍ଟରନ୍ୟାଶନାଲ ଖେଳିବା ଜାରି ରଖିବେ। ସେପ୍ଟେମ୍ବରରେ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ ସେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ କ୍ୟାରିୟରକୁ ବଢାଇବାକୁ ଚାହୁଁଛନ୍ତି, ତେଣୁ ସେ ଅନ୍ୟ ଫର୍ମାଟ ଛାଡି କେବଳ ଟି -୨୦ କ୍ରିକେଟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି।

 

Share