ରାଣାପ୍ରତାପଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ତଥା ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଶନିବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା। ଏଠାରୁ ତାଙ୍କ ପାର୍ଥିବ ଶରୀରକୁ ସଡ଼କ ପଥରେ ତାଙ୍କ ଜନ୍ମମାଟି ଅନୁଗୋଳ ଜିଲା ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

 

ବିମାନ ବନ୍ଦରରେ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଦେଇଥିଲେ। ସେହିପରି ବିରୋଧୀ ଦଳ ବିଧାୟକ, ପୋଲିସ ଡିଜି ଏବଂ ଅନ୍ୟ ବରିଷ୍ଠ ନେତାମାନେ ରାଣାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ, ଗତ ବୁଧବାର ସିଡିଏସ ବିପିନ ରାଓ୍ବତ ତାମିଲନାଡୁର ଓ୍ବେଲିଂଟନକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ। ତାମିଲନାଡୁର କୁନ୍ନୁରଠାରେ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବିପିନଙ୍କ ସହିତ ତାଙ୍କ ସ୍ତ୍ରୀ ଓ ଅନ୍ୟ ସେନାଧିକାରୀ ଥିଲେ। ସେମାନଙ୍କ ମଧ୍ୟରେ ତାଳଚେରର ପୁଅ ରାଣାପ୍ରତାପ ଦାସ ମଧ୍ୟ ଥିଲେ। ସେ ବାୟୁସେନାର ଜୁନିଅର ଓ୍ବାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଏହି ଦୁର୍ଘଟଣାରେ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା।