ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ ହେବ

ଅନୁଗୋଳ ଅଫିସ/ଭୁବନେଶ୍ୱର, ୬ା୪: ଅନୁଗୋଳ ସହରସ୍ଥିତ ଗୋପବନ୍ଧୁ ପାର୍କରେ ନବନିର୍ମିତ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତିକୁ ନେଇ ବିବାଦ ବଢ଼ିବା ପରେ ଏଥିରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଗୋପବନ୍ଧୁ ପାର୍କରୁ ଉକ୍ତ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ହଟାଇ ଦିଆଯାଇଛି। ଓଡ଼ିଶା ବିଧାନସଭା ସମ୍ମୁଖରେ ଥିବା ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି ଢାଞ୍ଚାରେ ରାଜ୍ୟ ସରକାର ଆଉ ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା ପରେ ତାହାକୁ ଅନୁଗୋଳରେ ପୁନଃସ୍ଥାପନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।
ବିଭାଗ ପକ୍ଷରୁ ଆହୁରି କୁହାଯାଇଛି, ଅନୁଗୋଳଠାରେ ନବକୃଷ୍ଣ ଚୌଧୁରୀଙ୍କ ଯେଉଁ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ଅନୁଗୋଳ ପୌରପାଳିକା ଦ୍ୱାରା ସ୍ଥାପନ କରାଯାଇଥିଲା, ତାହାକୁ ହଟାଇ ଦିଆଯାଇଛି। ନୂତନ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ହୋଇସାରିଲେ ତାହା ସେଠାରେ ପୁନଃସ୍ଥାପିତ ହେବ। ଏଥିସହ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଅନୁଗୋଳସ୍ଥିତ ଅନୁଷ୍ଠାନ ବାଜି ରାଉତ ଛାତ୍ରାବାସର ପୁନରୁଦ୍ଧାର ଓ ସଂରକ୍ଷଣ ତଥା ସମୂହ ବିକାଶ ପାଇଁ ରାଜ୍ୟ ସରକାର ଯଥାଶୀଘ୍ର ପଦକ୍ଷେପ ନେବେ। ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଅଫିସର ଦଳ ଗୁରୁବାର ବାଜି ରାଉତ ଛାତ୍ରାବାସ ଗସ୍ତ କରିବେ। ଏହି ଅଫିସର ଦଳରେ ଓବିସିସିର ପରିଚାଳନା ନିର୍ଦ୍ଦେଶକ, ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ସଂରକ୍ଷଣ ତଥା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶିଳ୍ପୀ ଜୟନ୍ତ ଦାସ ସାମିଲ ହେବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ପ୍ରତିମୂର୍ତ୍ତି ଓ ବାଜି ରାଉତ ଛାତ୍ରାବାସ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରାଯିବାକୁ ନିଷ୍ପତ୍ତି ହୋଇଛି।
ଅନ୍ୟପକ୍ଷରେ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ନିର୍ମାଣ ସମ୍ପର୍କରେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ବୁଧବାର ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ଗୋପବନ୍ଧୁ ଉଦ୍ୟାନରେ ସ୍ଥାପନ କରାଯାଇଥିବା ୧୧ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଇ-ଟେଣ୍ଡର କରାଯାଇଥିଲା। ଅନୁଗୋଳର ଜଣେ ଠିକାଦାର ଏହି ଟେଣ୍ଡର ନେଇଥିଲେ। ନାଗପୁର କାରିଗରଙ୍କ ଦ୍ୱାରା ଏହା ନିର୍ମାଣ କରାଯାଇ ନାହିଁ। ଏହି ପ୍ରକଳ୍ପ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରାଯାଇ ନାହିଁ। ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତିକୁ ଖୋଲି ନିଆଯାଇଛି।