ନବ ଦାସଙ୍କ ହତ୍ୟା ହିଁ ଝାରସୁଗୁଡ଼ାର ମୁଖ୍ୟ ପ୍ରସଙ୍ଗ ହେବ: ଧର୍ମେନ୍ଦ୍ର

ଭୁବନେଶ୍ବର, ୧୪ା୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରସଙ୍ଗ କ’ଣ ରହିବ, ସେ ସମ୍ପର୍କିତ ପ୍ରଶ୍ନରେ ଧର୍ମେନ୍ଦ୍ର କହିଛନ୍ତି, ଦୁର୍ଭାଗ୍ୟବଶତଃ ଝାରସୁଗୁଡ଼ା ଉପନିର୍ବାଚନ ଯେଉଁଥିପାଇଁ ହେଉଛି, ତାହା ହିଁ ଦଳର ମୂଳ ପ୍ରସଙ୍ଗ ହେବ। ଦିବାଲୋକରେ ଓଡ଼ିଶା ସରକାରଙ୍କ ପୋଲିସ ଅଧିକାରୀଙ୍କ ଗୁଳିରେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମୃତ୍ୟୁ ହେଲା। ଏହାର କିଛି ମାସ ପରେ ଝାରସୁଗୁଡ଼ାରେ ନାବାଳକର ଅପହରଣ ସହ ହତ୍ୟା କରାଗଲା। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡିଛି। ଗରିବ ଲୋକର ହିତ ଓ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି। ପଛୁଆ ଜାତି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ସବୁଠୁ କ୍ଷତିରେ ଅଛନ୍ତି। ଏହା ହିଁ ଓଡ଼ିଶାର ମୂଳ ପ୍ରସଙ୍ଗ। ଏସବୁ ନିର୍ବାଚନରେ ପ୍ରସଙ୍ଗ ହେବ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭାଜପା ବୁଧବାର ପ୍ରାର୍ଥୀ ଘୋଷଣା କରିଛି। ଟଙ୍କଧର ତ୍ରିପାଠୀ ହେଉଛନ୍ତି ଜଣେ ଦକ୍ଷ ସଙ୍ଗଠକ, ଲଢୁଆ ଯୁବନେତା। ସେ ରାଜ୍ୟ ସମ୍ପାଦକ ଦାୟିତ୍ୱରେ ଅଛନ୍ତି। ପୂର୍ବରୁ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଦାୟିତ୍ୱରେ ରହିଥିଲେ। ତାଙ୍କ ଭଳି ଯୁବନେତାଙ୍କୁ ଦଳ ପ୍ରାର୍ଥୀ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। ଏହି ଉପନିର୍ବାଚନରେ ତିନୋଟି ରାଜନୈତିକ ଦଳ ଯୁବନେତାଙ୍କୁ ପ୍ରାର୍ଥୀ କରିବା ଓଡ଼ିଶା ରାଜନୀତି ପାଇଁ ଶୁଭ ଲକ୍ଷଣ ବୋଲି ଧର୍ମେନ୍ଦ୍ର ମତବ୍ୟକ୍ତ କରିଛନ୍ତି।