ଏହି ଦିନ ବ୍ୟାଙ୍କ ଧର୍ମଘଟ ଡାକରା: କେଉଁ ସେବା ଚାଲିବ, କେଉଁଟା ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୧୧: ଆସନ୍ତା ସପ୍ତାହରେ ବ୍ୟାଙ୍କ ଶାଖାକୁ ଯାଇ ଚେକ ଜମା କରିବା, ନଗଦ ଟଙ୍କା ଉଠାଇବା କିମ୍ବା ଅନ୍ୟ କୌଣସି ଜରୁରୀ କାମ କରିବାର ଯୋଜନା ଥିଲେ ଡିସେମ୍ବର ୩ ପୂର୍ବରୁ ତାହା ସାରିଦେବା ଭଲ। କାରଣ ଡିସେମ୍ବର ୩ ତାରିଖ ଗୁରୁବାର ଦେଶବ୍ୟାପୀ ଏକଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଏହାଦ୍ୱାରା ଦେଶର ବିଭିନ୍ନ ବ୍ୟାଙ୍କ ଶାଖାରେ ସାଧାରଣ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।

ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡିକ ଏହି ଧର୍ମଘଟ ଡାକରା ଦେଇଛନ୍ତି। ଏହା ପଛର କାରଣ କ’ଣ, କେତେ ସଂଖ୍ୟକ କର୍ମଚାରୀ ଏଥିରେ ସାମିଲ ହୋଇପାରନ୍ତି ଏବଂ ଗ୍ରାହକଙ୍କ କେଉଁ ସେବା ପ୍ରଭାବିତ ହେବ, ଆସନ୍ତୁ ଜାଣିବା।

କାନାଡାର କମ୍ପାନୀ ଫେୟାରଫ୍ୟାକ୍ସ ଫାଇନାନ୍ସିଆଲ ହୋଲ୍ଡିଂସକୁ IDBI ବ୍ୟାଙ୍କ ବିକ୍ରି କରିବା ପାଇଁ ହେଉଥିବା ପ୍ରସ୍ତାବକୁ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘଗୁ ବିରୋଧ କରୁଛନ୍ତି। IDBI ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀଙ୍କ ଏହି ବିରୋଧକୁ ସମର୍ଥନ ଜଣାଇ ଅନ୍ୟ ବ୍ୟାଙ୍କର କର୍ମଚାରୀମାନଙ୍କୁ ମଧ୍ୟ ଧର୍ମଘଟରେ ସାମିଲ ହେବାକୁ ଆହୱାନ ଦିଆଯାଇଛି।

ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଏଜ ଆସୋସିଏଶନ (AIBEA), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ (AIBOA) ଏବଂ ବ୍ୟାଙ୍କ ଏମ୍ପ୍ଲଏଜ ଫେଡେରେଶନ ଅଫ ଇଣ୍ଡିଆ (BEFI) ଏହି ଧର୍ମଘଟକୁ ସମର୍ଥନ କରିଛନ୍ତି।

ରିପୋର୍ଟ ଅନୁସାରେ, ଏହି ଦେଶବ୍ୟାପୀ ଧର୍ମଘଟରେ ପ୍ରାୟ ୩ ଲକ୍ଷ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇପାରନ୍ତି। ଫଳରେ ଅନେକ ସରକାରୀ ବ୍ୟାଙ୍କ ଏବଂ କିଛି ଘରୋଇ ବ୍ୟାଙ୍କର ଶାଖାରେ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି। ତେବେ ସବୁ ବ୍ୟାଙ୍କରେ ଧର୍ମଘଟର ପ୍ରଭାବ ସମାନ ରହିବ ନାହିଁ। ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଏବଂ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ (IOB)ରେ କର୍ମଚାରୀଙ୍କ ଅଂଶଗ୍ରହଣ କମ ରହିପାରେ ବୋଲି ଆଶା କରାଯାଉଛି।

ଧର୍ମଘଟ ଦିନ ବ୍ୟାଙ୍କ ଶାଖାର କାଉଣ୍ଟର ସମ୍ବନ୍ଧୀୟ କାର୍ଯ୍ୟରେ ବିଳମ୍ବ କିମ୍ବା ବାଧା ଉପୁଜିପାରେ। ବିଶେଷକରି ନିମ୍ନଲିଖିତ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି।

-ବ୍ୟାଙ୍କରେ ନଗଦ ଟଙ୍କା ଜମା ଓ ଉଠାଣ।
-ଚେକ କ୍ଲିୟରାନ୍ସ।
-ଡିମାଣ୍ଡ ଡ୍ରାଫ୍ଟ ସମ୍ବନ୍ଧୀୟ କାର୍ଯ୍ୟ।
-ବ୍ୟାଙ୍କ ଶାଖାରେ ହେଉଥିବା ଅନ୍ୟ କାଉଣ୍ଟର ସେବା।

Dharitri – Odisha’s No.1 Odia Daily

Share
Tags: Bank strike