‘ଦେଶର ଗର୍ବ ମ୍ୟୁଜିୟମ ଅଫ୍‌ ଜଷ୍ଟିସ’

କଟକ ଅଫିସ,୨୬।୨: କଟକ ବାରବାଟୀ ଦୁର୍ଗ ପରିସରରେ ମ୍ୟୁଜିୟମ ଅଫ୍‌ ଜଷ୍ଟିସ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦ୍‌ଘାଟନ କରି କହିଥିଲେ, ମ୍ୟୁଜିୟମ ଅଫ୍‌ ଜଷ୍ଟିସ୍‌ ଦେଶର ଗର୍ବ। ଏଥିସହ ସେ ନାଗରିକର ଅଧିକାର ଅକ୍ଷୁଣ୍ଣ ରହିବା ଉପରେ ସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କହିଥିଲେ, ମ୍ୟୁଜିୟମ ଅଫ୍‌ ଜଷ୍ଟିସ ମାଧ୍ୟମରେ ଇତିହାସକୁ କେବଳ ସମ୍ମାନ ଦିଆଯାଇନାହିଁ ବରଂ ଇତିହାସ ସୃଷ୍ଟି କରାଯାଇଛି। ହାଇକୋର୍ଟ ଓ ଜିଲାକୋର୍ଟଗୁଡ଼ିକର ରେକର୍ଡ ରୁମ୍‌ରେ ଥିବା ଊନବିଂଶ ଶତାବ୍ଦୀ ପୂର୍ବର ପୁରୁଣା ରେକର୍ଡଗୁଡିକୁ ମ୍ୟୁଜିୟମ୍‌ରେ ସ୍ଥାନିତ କରାଯାଇଛି। ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ, ପ୍ରସିଦ୍ଧ ବ୍ୟକ୍ତିତ୍ୱ ଓ ଘଟଣାବଳୀ ସମ୍ପର୍କିତ ବହୁ ଲୁକ୍କାୟିତ ରେକର୍ଡଗୁଡ଼ିକୁ ଏଠାରେ ସ୍ଥାନିତ କରାଯାଇ ଓଡ଼ିଶାର ନ୍ୟାୟିକ ବ୍ୟବସ୍ଥାର ବୈପ୍ଳବିକ ପରିବର୍ତ୍ତନକୁ ଉପସ୍ଥାପନା କରିବାର ପ୍ରୟାସ କରାଯାଇଛି। ଏହି ମ୍ୟୁଜିୟମ କେବଳ ଓଡ଼ିଶାର ନୁହେଁ, ସାରା ଦେଶର ନ୍ୟାୟିକ ବ୍ୟବସ୍ଥାର ପ୍ରତିଫଳନ। କାରଣ ଯେକୌଣସିଠାରେ ସଂଘଟିତ ଘଟଣାବଳୀର ଦର୍ପଣ ହେଉଛି ଓଡ଼ିଶା। ଏହି ମ୍ୟୁଜିୟମ ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା ଆଦିର ପ୍ରମୁଖ ସ୍ଥଳ ପାଲଟିବ ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ବିଚାରପତି ଦେବବ୍ରତ ଦାଶ ସ୍ବାଗତ ଭାଷଣ ଦେଇ କହିଥିଲେ, ନ୍ୟାୟିକ ବ୍ୟବସ୍ଥାର ଏକ ସମ୍ଭ୍ରାନ୍ତ ଐତିହ୍ୟ ରହିଛି। ମ୍ୟୁଜିୟମ ଅଫ୍‌ ଜଷ୍ଟିସରେ ପ୍ରାଚୀନ ସମୟରୁ ନ୍ୟାୟିକ ବ୍ୟବସ୍ଥାର ଉଜ୍ଜ୍ୱଳମୟ ଇତିହାସ ସ୍ଥାନିତ ହୋଇଛି। ଏହି ଅବସରରେ ମ୍ୟୁଜିୟମ୍‌ର ପ୍ରଥମ ପ୍ରକାଶନକୁ ଉନ୍ମୋଚନ କରାଯାଇଥିଲା। ବିଚାରପତି ଶଶିକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।
ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜି.ବି. ପଟ୍ଟନାୟକ, ମ୍ୟୁଜିୟମର କନ୍‌ସଲଟେଟିଭ କମିଟି ସଦସ୍ୟ ବିଚାରପତି ଡ. ଏ. କେ. ମିଶ୍ର, ଡ. ନିବେଦିତା ମହାନ୍ତି, ଟ୍ରାଇବାଲ ମ୍ୟୁଜିୟମର ନିର୍ଦ୍ଦେଶକ ଏ. ବି. ଓତା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ଶୁଚିସ୍ମିତା ମନ୍ତ୍ରୀ, ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ, ଇନ୍‌ଟାକ୍‌ର ନିର୍ଦ୍ଦେଶକ ମଲ୍ଲିକା ମିତ୍ରଙ୍କ ସମେତ ହାଇକୋର୍ଟର କାର୍ଯ୍ୟରତ ବିଚାରପତି, ପୂର୍ବତନ ବିଚାରପତି, ଆଡ୍‌ଭୋକେଟ ଜେନେରାଲ, ବରିଷ୍ଠ ସରକାରୀ ପ୍ରଶାସକ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ୟୁନିଭର୍ସିଟି ଲ’ କଲେଜ ଓ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଛାତ୍ରୀଛାତ୍ରମାନେ ଯୋଗଦେଇଥିଲେ। ଉଦ୍‌ଘାଟନୀ ସମାରୋହ ଶେଷ ହେବାପରେ ରାଜ୍ୟପାଳ, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟମାନେ ମ୍ୟୁଜିୟମର ବିଭିନ୍ନ ଗ୍ୟାଲେରି ବୁଲି ଦେଖିଥିଲେ। ସେହିପରି ଛାତ୍ରୀଛାତ୍ରମାନେ ମଧ୍ୟ ମ୍ୟୁଜିୟମ୍‌ର ବିଭିନ୍ନ ଗ୍ୟାଲେରି ବୁଲି ଦେଖିଥିଲେ। ଏଥିରେ ସ୍ଥାନିତ ହୋଇଥିବା ଜନଜାତି ନ୍ୟାୟ ବ୍ୟବସ୍ଥା, କୋର୍ଟ ରୁମ୍‌ର ପ୍ରତିକୃତି ଓ ବିଚାର ପ୍ରକ୍ରିୟାଗୁଡ଼ିକ ଅତ୍ୟନ୍ତ ଶିକ୍ଷଣୀୟ ଏବଂ ଆନନ୍ଦଦାୟକ ହୋଇଥିବା ଛାତ୍ରୀଛାତ୍ରମାନେ କହିଛନ୍ତି।