Categories: ଜାତୀୟ

ଜାତୀୟ ସୁରକ୍ଷା କେବଳ ସ୍ଲୋଗାନରେ

ନୂଆଦିଲ୍ଲୀ, ୫।୭(ପି.ଟି.): ରାଫାଲ ଯୁଦ୍ଧବିମାନ କିଣା ଚୁକ୍ତିନାମାରେ ହୋଇଥିବା ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ଅଭିଯୋଗର ତଦନ୍ତ ପାଇଁ ଫ୍ରାନ୍ସ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ର ସରକାରଙ୍କ ନୀରବତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଯୁଦ୍ଧ ବିମାନ କ୍ରୟ ନେଇ ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଥିବାରୁ ଏଥିରେ କେହି ମଧ୍ୟସ୍ଥ ରହିବା କଥା ନୁହେଁ କିମ୍ବା ଦୁର୍ନୀତି ହେବା ଆଶା କରାଯାଉ ନ ଥିଲା। ତେବେ ଦୁର୍ନୀତିର ଫାଇଦା ଉଠାଇଥିବା ଗୋଟିଏ ଦେଶ ଯେତେବେଳେ ତଦନ୍ତ ନିର୍ଦ୍ଦେଶ ଦେଇସାରିଲାଣି, ସେତେବେଳେ ଜନସାଧାରଣଙ୍କ ଟିକସ ଅର୍ଥ ହରାଇଥିବା ଦେଶ ତଦନ୍ତ ନିର୍ଦ୍ଦେଶ ଦେଉନି କାହିଁକି ବୋଲି କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା ରବିବାର ପ୍ରଶ୍ନ କରିଛନ୍ତି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଜାତୀୟ ସୁରକ୍ଷାକୁ ନେଇ ବହୁତ ହୋହଲ୍ଲା କରୁଥିବାବେଳେ ଏହାର ପୁଞ୍ଜିପତି ବନ୍ଧୁମାନଙ୍କୁ ସାହାଯ୍ୟ କଥା ଉଠିଲେ, ଦେଶର ସୁରକ୍ଷା ସ୍ବାର୍ଥ ପ୍ରତି ଆଖିବୁଜି ଦେଉଥିବା ପଓ୍ବନ ଅଭିଯୋଗ କରିଛନ୍ତି। ଫ୍ରାନ୍ସ ସରକାର ରାଫାଲ ଦୁର୍ନୀତି, ମନିଲଣ୍ଡରିଂ, ଅନୁକମ୍ପା ପ୍ରଦର୍ଶନ ଆଦିର ତଦନ୍ତ ନିର୍ଦ୍ଦେଶ ଦେବାର ୨୪ ଘଣ୍ଟା ପରେ ମଧ୍ୟ ସରକାର କ’ଣ ପାଇଁ ନୀରବ ରହିଛନ୍ତି, ତାହା ପ୍ରତ୍ୟେକ ଦାୟିତ୍ୱବାନ୍‌ ଭାରତୀୟ ଓ ପ୍ରତି ସଚେତନ ନାଗରିକଙ୍କ ମନରେ ପ୍ରଶ୍ନ ଉଠୁଛି। ପ୍ରଧାନମନ୍ତ୍ରୀଙ୍କ ସତ୍‌ସାହସ ଥିଲେ ଖବରଦାତା ସମ୍ମିଳନୀରେ ଏହି ପ୍ରଶ୍ନ ଗୁଡିକର ଉତ୍ତର ଦିଅନ୍ତୁ ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି।
ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ରାଫାଲ ଡିଲ୍‌ର ତଦନ୍ତ କରିବା ଲାଗି କଂଗ୍ରେସ ଦାବି କରିଛି। ଦେଶବାସୀ ସତ୍ୟ ଜାଣିବାକୁ ହକ୍‌ଦାର ବୋଲି ପଓ୍ବନ କହିଛନ୍ତି।

ଜେପିସି ତଦନ୍ତ ଦାବି କଲା ସିପିଏମ୍‌

କଂଗ୍ରେସ ପରେ ସିପିଆଇ(ଏମ୍‌) ରାଫାଲ ଚୁକ୍ତିନାମାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରିଛି। ଫ୍ରାନ୍ସ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ କରିଥିବାରୁ ବିମାନ କିଣା ଚୁକ୍ତିନାମାରେ ଦୁର୍ନୀତି ଓ ମନିଲଣ୍ଡରିଂ ହୋଇଥିବା ସନ୍ଦେହକୁ ସ୍ପଷ୍ଟ କରୁଛି। ନରେନ୍ଦ୍ର ମୋଦି ସରକାର ଜେପିସି ତଦନ୍ତକୁ କାହିଁକି ବିରୋଧ କରୁଛନ୍ତି ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟର ଜରିଆରେ ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି। ଜୁନ୍‌ ୩ରେ ସିପିଆଇ(ଏମ୍‌) ପଲିଟିବ୍ୟୁରୋ ବୈଠକରେ ରାଫାଲ ଚୁକ୍ତିନାମାର ଜେପିସି ତଦନ୍ତ ଦାବି କରିବାକୁ ନିଷ୍ପତ୍ତି ହୋଇଥିଲା ବୋଲି ଏହାର ନେତା ସୀତାରାମ ୟେଚୁରୀ ଟୁଇଟ୍‌ କରିଛନ୍ତି।

Share