ଜାତୀୟ ପ୍ରେସ୍ ଦିବସ : ଗଣତନ୍ତ୍ରର ସୁରକ୍ଷା ଓ ସୁଦୃଢ଼ୀକରଣରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର, ୧୬/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ସୋମବାର ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ସାମ୍ବାଦିକଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଗଣତନ୍ତ୍ରର ସୁରକ୍ଷା ଓ ସୁଦୃଢ଼ୀକରଣରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରୀଛାତ୍ରମାନେ ଭବିଷ୍ୟତରେ ଦକ୍ଷ, ନିରପେକ୍ଷ ଓ ଦାୟିତ୍ୱସମ୍ପନ୍ନ ସାମ୍ବାଦିକ ଭାବେ ନିଜକୁ ଗଢ଼ି ତୋଳିବାକୁ ସେ ଆହ୍ୱାନ ଦେଇଥିଲେ।

ସେହିପରି ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ପ୍ରଶାନ୍ତ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରମାନେ ଜଣେ ଭଲ ମଣିଷ ହେବା ସହ ସମାଜ ପ୍ରତି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ରେଡିଓ ଆଇନାର ରେଡିଓ ଜକି ଶୁଭସ୍ମିତା ଗୌଡ଼ ଓ ଅଧ୍ୟାପକ ଦିଗନ୍ତ ଜେନା ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।

ସଭାକୁ ବିଭାଗୀୟ ମୁଖ୍ୟ ତଥା ଅଧ୍ୟାପକ ବାବୁଲା ପ୍ରଧାନ ସଂଯୋଜନା କରିଥିଲେ। ଏଥିସହ ସେ ଜାତୀୟ ପ୍ରେସ୍ ଦିବସର ଇତିହାସ ଓ ଭବିଷ୍ୟତର ସାମ୍ବାଦିକମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ନିଜର ମତ ରଖିଥିଲେ।

ସଭା ପୂର୍ବରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରୀଛାତ୍ର ଏବଂ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) କୋ-ୟୁନିଟ୍‌ ପକ୍ଷରୁ କଲେଜ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଅବସରରେ ସକାଳେ ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ମଧ୍ୟ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଇଥିଲା। ଶାଖା ମୁଖ୍ୟ ବ୍ରହ୍ମାକୁମାରୀ ସନ୍ତୋଷିନୀ ସଭାର ସଂଯୋଜନା କରିଥିବାବେଳେ ଲୋକନାଥ କର ଓ ପ୍ରଦୀପ ସ୍ୱାଇଁ ଅତିଥି ଭାବେ ଯୋଗଦେଇଥିଲେ।

ସେହିପରି ତ୍ରିରଙ୍ଗା ମିଡିଆ କ୍ଲବ୍‌ ପକ୍ଷରୁ ମଧ୍ୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଥିଲା। ଅନ୍ୟପକ୍ଷରେ କବି ସମ୍ରାଟ ମିଡିଆ କ୍ଲବ୍‌ ପକ୍ଷରୁ ଅପରାହ୍ନରେ ଜାତୀୟ ପ୍ରେସ୍ ଦିବସକୁ ଦୁଇଦିନ ଧରି ପାଳନ କରିବା ପାଇଁ ଯୋଜନା ରହିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share