ଭଞ୍ଜନଗର,୯ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପରିସରରେ ଶନିବାର ଚଳିତ ବର୍ଷର ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗରର ଅତିରିକ୍ତ ଜିଲା ଦୌରାଜଜ୍ ତଥା ତାଲୁକ ଆଇନ ସେବା ସମିତି ଚେୟାରମ୍ୟାନ ଶେଖ୍ ମହମ୍ମଦ କଏସଙ୍କ ନେତୃତ୍ୱରେ ଏହି ଲୋକଅଦାଲତ ଅନୁଷ୍ଠିତ ହୋଇଥିଲା। ଲୋକ ଅଦାଲତରେ ୪୧୯ଟି ମାମଲା ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୧୯୮ଟି ମାମଲାର ସମାଧାନ ହୋଇଥିଲା। ସମାଧାନ ହୋଇଥିବା ମାମଲାଗୁଡ଼ିକ ମାଧ୍ୟମରେ ୩୭,୮୦,୯୧୫/- ଟଙ୍କା ଆଦାୟ ହୋଇଥିଲା। ସମାଧାନ ହୋଇଥିବା ମାମଲାଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଋଣ ପୁନରୁଦ୍ଧାର ମାମଲାରୁ ୪,୫୫,୦୧୫/- ଓ ମୋଟର ଦୁର୍ଘଟଣା ଦାବି (MACT) ମାମଲାରୁ ୩୧, ୮୦,୦୦୦/- ଟଙ୍କା ଆଦାୟ ହୋଇଥିଲା। ଏହା ସହିତ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ ଚାଲାଣ ମାମଲାରୁ ୧,୪୫,୯୦୦/- ଟଙ୍କା ଆଦାୟ ହୋଇଥିଲା। ବ୍ୟାଙ୍କ ରିକଭରି କେସ୍ ୪ ଟି, ମୋଟର ଦୁର୍ଘଟଣା ଜନିତ କେସ୍ ୪ ଟି, ଟ୍ରାଫିକ ଚାଲଣ କେସ୍ ୩୮ଟି, ବୈବାହିକ ବିବାଦ କେସ୍ ୧, ସିଭିଲ କେସ୍ ୩ ଟି, ଅନ୍ୟାନ୍ୟ କ୍ରିମିନାଲ କେସ୍ ୧୫୧ଟି ସମାଧାନ କରାଯାଇଥିଲା। ଲୋକ ଅଦାଲତରେ ସିନିୟର ସିଭିଲ ଜଜ୍ ଦେବାଶିଷ ବିଶୋୟୀ, ଏସ୍ଡିଜେଏମ୍ ସୌମ୍ୟରଞ୍ଜନ ପୃଷ୍ଟି, ଜେଏମ୍ଏଫ୍ସି ଭିୟେନା ନାୟକ, ଲୋକ ଅଦାଲତ ବେଞ୍ଚ ସଦସ୍ୟ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଆଇନଜୀବୀ ରମେଶ ପଣ୍ଡା, ଆଇନସେବା ସଭ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ଭଞ୍ଜନଗର ବାର୍ ଆସୋସିଏଶନ ସଭାପତି ସନ୍ତୋଷ କୁମାର ନାୟକ ଏବଂ ମାମଲାର ପକ୍ଷକାରମାନେ ଯୋଗଦେଇଥିଲେ।
ଆଇନୀଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସନ୍ତୋଷ ତିଆଡ଼ି, ଜ୍ଞାନେନ୍ଦ୍ର ନାୟକ, ସୁଧୀର ରଞ୍ଜନ ମହାପାତ୍ର, ଦେବୀ ପ୍ରସାଦ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ମହାପାତ୍ର, ସୁଧୀର ଦାସ, ମନୋଜ ପଟ୍ଟନାୟକ, ଅନିତା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଲୋକ ଅଦାଲତ ମାଧ୍ୟମରେ ଦୀର୍ଘଦିନ ଧରି ଅପେକ୍ଷାରତ ମାମଲାଗୁଡ଼ିକର ଶୀଘ୍ର, ସହଜ ଓ ଅଳ୍ପ ଖର୍ଚ୍ଚରେ ସମାଧାନ ହେବା ସହିତ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଥିବାରୁ ସାଧାରଣ ଲୋକମାନେ ଖୁସି ପ୍ରକାଶ କରିଛନ୍ତି।