ଲୋଇସିଂହା,୨୮।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ରାଇଜିଂ କ୍ଲବର ପ୍ରଶିକ୍ଷାର୍ଥୀମାନେ ଆସନ୍ତା ୨ ଓ ୩ ତାରିଖରେ ଉତ୍ତରପ୍ରଦେଶର ଗାଜିଆବାଦରେ ହେବାକୁ ଥିବା ଜାତୀୟ ଓପନ କରାଟେ ଚାମ୍ପିୟନଶିପରେ ଅଂଶଗ୍ରହଣ କରିବେ। ଖୁବଶୀଘ୍ର ପ୍ରଶିକ୍ଷକ ଅଲେଖ ଛତରଙ୍କ ନେତୃତ୍ୱରେ ୭ ଜଣିଆ ଦଳ ଏହି ପ୍ରତିଯୋଗିତା ପାଇଁ ଲୋଇସିଂହାରୁ ଯାତ୍ରା କରିବେ ବୋଲି ଜଣାଯାଇଛି। ଏଥିରେ ୭ରୁ ୧୨ ବର୍ଷ ବର୍ଗର ପ୍ରତିଯୋଗୀ ରହିଛନ୍ତି। ସେମାନେ ହେଲେ ଲିଟିଲ ମିସ୍ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଏଫ୍ରାତା ଜୋଏଲ, ଅରମାନ ବାରିକ, ଆୟୁଷ୍ମାନ ବାରିକ, ପ୍ରତ୍ୟୁଷ ସାହୁ, ପ୍ରତିମ ସାହୁ, ଦିପ୍ତୀମୟୀ ଛତର ଓ ଶକ୍ତିମୟୀ ଛତର। ପ୍ରତିଯୋଗିତାକୁ ଯିବା ପୂର୍ବରୁ କ୍ଲବ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏଥିରେ କ୍ଲବ ସଭାପତି ଗୁରୁଚରଣ ଧୀର, ସମ୍ପାଦକ ଗୋପାଳ ପ୍ରଧାନ, କୋଷାଧ୍ୟକ୍ଷ କିଶୋର ସୁନା ଏବଂ ପରାମର୍ଶଦାତା ଭୋଳାନାଥ ମିର୍ଦ୍ଧା ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ସଫଳତା କାମନା କରି ସମ୍ବର୍ଦ୍ଧନା ଜଣାଇଥିଲେ। ଲୋଇସିଂହା ଅଞ୍ଚଳର ଏହି କୁନି ପ୍ରତିଭାମାନେ ଜାତୀୟ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ଗୌରବ ଆଣିବେ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।