ଗୋରୁଙ୍କ କବ୍‌ଜାରେ ଜାତୀୟ ରାଜପଥ

ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ୫୯ ନଂ. ଜାତୀୟ ରାଜପଥରେ ସନ୍ଧ୍ୟାରେ ଗୋରୁଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି। ଫଳରେ ସାଧାରଣରେ ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଉଛି। ସନ୍ଧ୍ୟାହେଲେ ରାସ୍ତାରେ ବାଇକ୍‌ ଆରୋହୀ ଓ ପଥଚାରୀମାନେ ଯାତାୟାତ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ପ୍ରତି ବିଜ୍ଞାପିତ ଅଞ୍ଚଳ ପରିଷଦ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଗୋରୁପଲ ବାଲିଗୁଡ଼ା ହନୁମାନ ମନ୍ଦିରଠାରୁ ଆଦିବାସୀ ମହାବିଦ୍ୟାଳୟ ପର୍ଯ୍ୟନ୍ତ ୫୯ ନଂ. ଜାତୀୟ ରାଜପଥ ରାସ୍ତା ଉପରେ ଶୋଇବା ସହ ପ୍ରତ୍ୟେକ ଦିନ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ତଥାପି ପ୍ରଶାସନର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହି ସମୟରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ସମାଧାନ ପାଇଁ ସହରର ବିଭିନ୍ନ ସଂଗଠନ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏଯାବତ୍‌ କୌଣସି ସୁଫଳ ମିଳିନାହିଁ। ଯଥା ପୂର୍ବଂ ତଥା ପର ଅବସ୍ଥା ହୋଇଛି। ବୁଲା ଗୋରୁ ମାଲିକମାନଙ୍କୁ ନୋଟିସ୍‌ ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଏନ୍‌ଏସି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। କିନ୍ତୁ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହିଯାଇଛି l ବୁଲା ଗୋରୁ ମାଲିକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବା ତ ଦୂରର କଥା ଗୋରୁଙ୍କ ମାଲିକ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନି। ଏଥିସହ ସହରରେ ବୁଲୁଥିବା ଗୋରୁଙ୍କ ପାଇଁ କାଓ ସେଡ ନିର୍ମାଣ କରାଯାଇ ସେଠାରେ ସେମାନଙ୍କୁ ରଖାଯାଇ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।