ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମଞ୍ଚର ସଭାପତି ସୁବାସ ସିଙ୍ଗ ମାଝୀ ଏବଂ ଉପସଭାପତି ଲାଇ ମାଝୀଙ୍କ ସମେତ ସନ୍ତୋଷ ନାୟକ, କାର୍ତ୍ତିକ ନାୟକ, ଗୋବିନ୍ଦ ନାୟକ, ନାରଙ୍ଗୀ ଦେଇ ମାଝୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

ଏଥିରେ ଶାଗବରୀ, ବାଣ୍ଟେଜି, କଣ୍ଟାମାଳ, ବଣ୍ଡେଲ, ଅଲିଗୁଣା ତଥା କଳାହାଣ୍ଡି ଜିଲାର ତଳ ଆମ୍ବପଦର, ଚୁଲିବାଡ଼ି, ନାକରୁଣ୍ଡି ଓ କେରପାଇ ଆଦି ଗ୍ରାମରୁ ଶତାଧିକ ଆଦିବାସୀ ଏବଂ ସ୍ଥାନୀୟ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଉପସ୍ଥିତ ଜନସାଧାରଣ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ଦେଶର ସ୍ବାଧୀନତା ସଂଗ୍ରାମରେ ଆତ୍ମବଳିଦାନ ଦେଇଥିବା ଅମର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଜଳ, ଜଙ୍ଗଲ, ଜମି ଓ ନିଜ ଭିଟାମାଟିର ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ତୃଣମୂଳସ୍ତରର ଲୋକଙ୍କ ସାମାଜିକ, ଆର୍ଥିକ ଓ ପରିବେଶଗତ ଅଧିକାର ସୁରକ୍ଷିତ ହେଲେ ହିଁ ପ୍ରକୃତ ସ୍ବାଧୀନତା ସାର୍ଥକ ହେବ ବୋଲି ମଞ୍ଚର କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ। ସଭା ଶେଷରେ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲା।

Share