Categories: ବାଣିଜ୍ୟ

ହୋଣ୍ଡା ପକ୍ଷରୁ ଜାତୀୟ ପରିବେଶ ଅଭିଯାନ

ନୂଆଦିଲ୍ଲୀ,୬।୬: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ(ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ସୋମବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହୋଣ୍ଡା ପକ୍ଷରୁ ସପ୍ତାହବ୍ୟାପୀ ଜାତୀୟ ପରିବେଶ ଅଭିଯାନର ଶୁଭାରମ୍ଭ କରାଯାଇଛି। ଉକ୍ତ ଅଭିଯାନ ୨୦୨୩ ଜୁନ୍‌ ୧୧ ପର୍ଯ୍ୟନ୍ତ ଚାଲିବ। ଏପରିକି ବୃକ୍ଷରୋପଣ ସହ ନୋଏଡା (ଉତ୍ତରପ୍ରଦେଶ)ର ପାୟୋନିୟର ୱାନ୍‌ ହୋଣ୍ଡାରୁ ଉକ୍ତ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌ଆଇର ନିର୍ଦ୍ଦେଶକ (ବିକ୍ରି ଓ ମାର୍କେଟିଂ) ଯୋଗେଶ ମାଥୁର, ନିର୍ଦ୍ଦେଶକ (ବିକ୍ରି ଓ ମାର୍କେଟିଂ) ଟାକେଶି କୋବାୟାସିଙ୍କ ସମେତ ଏଚ୍‌ଏମ୍‌ଏସ୍‌ଆଇର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ନିର୍ଦ୍ଦେଶକ (ବିକ୍ରି ଓ ମାର୍କେଟିଂ) ମାଥୁର କହିଛନ୍ତି, ପରିବେଶ ପ୍ରତି ପ୍ଲାଷ୍ଟିକ୍‌ ପ୍ରଦୂଷଣ ଏକ ବହୁତ ବଡ଼ ବିପଦ ବୋଲି ଆମେ ଅବଗତ ଥିବା ବେଳେ ଆମ ସମସ୍ତଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକତା ରହିଛି। ଏକ ଦାୟିତ୍ୱବାନ୍‌ କର୍ପୋରେଟ୍‌ ସଂସ୍ଥା ଭାବେ ପ୍ଳାଷ୍ଟିକ୍‌ ବ୍ୟବହାର କମ୍‌ କରିବା ଏବଂ ଦୀର୍ଘସ୍ଥାୟୀ ବିକଳ୍ପର ପ୍ରଚାର କରିବା ଲାଗି ଆମେ ଉତ୍ସର୍ଗୀକୃତ ରହିଛୁ।
ବିଶ୍ୱ ପରିବେଶ ସପ୍ତାହ ଅବସରରେ ଆମ ଉଦ୍ୟମ ଜରିଆରେ ଆମର ଲକ୍ଷ୍ୟ ହେଉଛି ପ୍ଲାଷ୍ଟିକ୍‌କୁ ବର୍ଜନ କରିବା ଏବଂ ପରିବେଶ ମିତବ୍ୟୟୀ ବିକଳ୍ପ ଗ୍ରହଣକରି ଆମ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ବଚ୍ଛ ଓ ସୁସ୍ଥକର ଗ୍ରହକୁ ସୁଦୃଢ଼ କରିବା। ଏହି ଅଭିଯାନର ଅଂଶ ସ୍ବରୂପ କମ୍ପାନୀ ସାରା ଭାରତରେ ୨୩,୦୦୦ରୁ ଅଧିକ ଚାରା ରୋପଣ କରିବ। ଏଥିସହ ହୋଣ୍ଡାର ସ୍ବୀକୃତିପ୍ରାପ୍ତ ଡିଲରଶିପ୍‌କୁ ଆସୁଥିବା ସମସ୍ତ ଗ୍ରାହକଙ୍କୁ କମ୍ପାନୀ ପକ୍ଷରୁ ଭାରତୀୟ ଅଟୋମୋବାଇଲ୍‌ ନିର୍ମାତା ସଂଘ (ସିଆମ୍‌) ସହଯୋଗରେ ମାଗଣା ପିୟୁସି ଯାଞ୍ଚ ସୁବିଧା ପ୍ରଦାନ କରାଯିବ।
ଅପରପକ୍ଷରେ କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କୁ ମଧ୍ୟ ଚାରା ବଣ୍ଟନ କରାଯାଇଥିଲା। ‘ସେ ନୋ ଟୁ ପ୍ଲା୍‌ଷ୍ଟିକ୍‌’ ଅଧୀନରେ ପ୍ଲାଷ୍ଟିକ୍‌ ବର୍ଜ୍ୟ କମ୍‌ କରିବା ଏବଂ ଦୀର୍ଘସ୍ଥାୟୀ ବିକଳ୍ପର ପ୍ରସାର ଲାଗି କମ୍ପାନୀ ଉତ୍ସର୍ଗୀକୃତ ଉଦ୍ୟମ କରୁଛି।

Share