୧୦ରୁ ଜାତୀୟ ନାଟ୍ୟ ମହୋତ୍ସବ

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆସନ୍ତା ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଆୟୋଜିତ ହେବ ଜାତୀୟ ନାଟ୍ୟୋତ୍ସବ ‘ଶ୍ରୀ ରଙ୍ଗ ସମାଗମ’। ସମ୍ବଲପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ କଲଚରାଲ ଆସୋସିଏଶନ ଆନୁକୂଲ୍ୟରେ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଦର୍ଶନ କଳା ବିଭାଗ ଓ ଏମ୍‌ସିଏଲ୍‌ ସହଯୋଗରେ ଏହା ଆୟୋଜିତ ହେବ।

ସ୍ଥାନୀୟ ସାମ୍ବାଦିକ ଭବନରେ ରବିବାର ଶ୍ରୀ କଲଚରାଲ ଆସୋସିଏଶନ ପକ୍ଷରୁ ଆୟାଜିତ ଖବରଦାତା ସମ୍ମିଳନୀରେ ନିର୍ଦ୍ଦେଶକ ସତ୍ୟରଞ୍ଜନ ବେହେରା ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ଡିସେମ୍ବର ୧୦ରେ ନାଟକ ଆରମ୍ଭ ହେବା ପୂର୍ବରୁ ଏକ ସଂକ୍ଷିପ୍ତ ସଭା ଓ ୧୧ରେ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ କଳା ବିଭାଗ ସଭାଗୃହରେ ‘ନାଟ୍ୟ ପ୍ରସ୍ତୁତି ଏକ ପ୍ରକ୍ରିୟା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ।

ଉଦ୍‌ଘାଟନୀ ସନ୍ଧ୍ୟାରେ ଶ୍ରୀ କଲଚରାଲ ଆସୋସିଏଶନର ଆଶିଷ କୁମାର ସେନାପତିଙ୍କ ରଚିତ ଓ ସତ୍ୟରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ତ୍ରିଶଙ୍କୁ’ ମଞ୍ଚସ୍ଥ ହେବ। ଦ୍ୱିତୀୟ ସନ୍ଧ୍ୟାରେ ପ୍ରଦର୍ଶିତ ହେବ କୋଲକାତା ବାଲିଗଞ୍ଜ ସ୍ବପ୍ନ ସୂଚନା ଅନୁଷ୍ଠାନର ବଙ୍ଗଳା ନାଟକ ‘ତିନ୍‌ ନମ୍ବର୍‌ ଚୋଖ୍‌’। ୧୨ରେ ପାରାଦୀପର କାନମାସ ପକ୍ଷରୁ ପ୍ରସ୍ତୁତ ନାରାୟଣ ମିଶ୍ରଙ୍କ ନିର୍ଦ୍ଦେଶନାରେ ସଞ୍ଜୟ ହାତୀଙ୍କ ଦ୍ୱାରା ପରେଶ ପଟ୍ଟନାୟକଙ୍କ ରଚିତ ମୂଳଗଳ୍ପର ନାଟ୍ୟ ରୂପାନ୍ତର ଓଡ଼ିଆ ନାଟକ ‘ମିଥ୍ୟାବାଦୀ ଜିନ୍ଦାବାଦ’ ଓ ଉଦ୍‌ଯାପନୀ ସନ୍ଧ୍ୟାରେ ଶ୍ରୀ କଲଚରାଲ ଆସୋସିଏଶନ୍‌ ଦ୍ୱାରା ପ୍ରସ୍ତୁତ ଆଶିଷ କୁମାର ସୋନାରଙ୍କ ରଚିତ ଓ ସତ୍ୟରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘କେଡ଼ା’ ପରିବେଷିତ ହେବ। ନାଟ୍ୟୋତ୍ସବ ପରିପ୍ରେକ୍ଷୀରେ ମଞ୍ଚକଳାରେ ସୁନାମ ଅର୍ଜନ କରିଥିବା ବିଭିନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ଦେଇଥିଲେ। ଖବରଦାତା ସମ୍ମିଳନୀରେ ଡ. ବିଜୟ ପ୍ରଧାନ, ଡ. ଶ୍ୟାମସୁନ୍ଦର ଧର ଓ ପ୍ରଫୁଲ୍ଲ ହୋତା ପ୍ରମୁଖ ମଞ୍ଚାସୀନ ଥିଲେ।