ବିଜ୍ଞାନ ଲେଖକ ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ାଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୧୦ା୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ‘ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି କମ୍ୟୁନିକେଶନ ବିଭାଗ ବିଜ୍ଞାନକୁ ଜନପ୍ରିୟ କରୁଥିବା ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନକୁ ପ୍ରତିବର୍ଷ ଜାତୀୟ ବିଜ୍ଞାନ ଦିବସ ଅବସରରେ ପୁରସ୍କୃତ କରାଯାଇଥାଏ। ୨୦୨୧ ମସିହା ପାଇଁ ଲେଖା ମାଧ୍ୟମରେ ବିଜ୍ଞାନକୁ ଜନପ୍ରିୟ କରୁଥିବା ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ସେଥିପାଇଁ ମନୋନୀତ ହୋଇଛନ୍ତି। ଆଗାମୀ ଫେବୃୟାରୀ ୨୮ରେ ଦିଲ୍ଲୀଠାରେ ଅନୁଷ୍ଠିତ ଏକ ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯିବ। ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ।

ପ୍ରଫେସର ପରିଡ଼ାଙ୍କ ଘର କେନ୍ଦ୍ରାପଡ଼ା ଜିଲା ଯମପଡ଼ା ଗ୍ରାମରେ। ସେ ଭ୍ରମରବର ପରିଡ଼ା ଏବଂ ସତ୍ୟଭାମାଙ୍କ ଜ୍ୟେଷ୍ଠ ପୁତ୍ର। ସେ ୧୯୪୭ ଜାନୁୟାରୀ ୪ରେ ଜନ୍ମଗ୍ରହଣ କରିଥିଲେ। ସେ ଦୀର୍ଘ ୫୫ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଲେଖା ମାଧ୍ୟମରେ ବିଜ୍ଞାନକୁ ଜନପ୍ରିୟ କରିଆସୁଛନ୍ତି। ଇତି ମଧ୍ୟରେ ସେ ଓଡ଼ିଆ ଏବଂ ଇଂରାଜୀରେ ୧୦୨ ପୁସ୍ତକ ଏବଂ ୩ ହଜାରରୁ ଅଧିକ ଲେଖା ପ୍ରକାଶ କରିଛନ୍ତି। ସେଥିପାଇଁ ତାଙ୍କୁ ଓଡ଼ିଶା ବିଜ୍ଞାନ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସର୍ବଭାରତୀୟ ଜନ ବିଜ୍ଞାନ କଂଗ୍ରେସ ସମେତ ୨୦ଟି ସୁନାମଧନ୍ୟ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଛି।
ରେଭେନ୍ସା ମହାବିଦ୍ୟାଳୟରୁ ୧୯୬୮ରେ ସେ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ୧୯୯୦ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଥିଲେ। ସେ ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଡାମନ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା ପରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ମୌଳିକ ବିଜ୍ଞାନ ଓ କଳା ମହାବିଦ୍ୟାଳୟରୁ ୨୦୦୭ରେ ପ୍ରଫେସର ରୂପେ ଅବସର ଗ୍ରହଣ କରିଛନ୍ତି। ଇତିମଧ୍ୟରେ ବୋରାହାଟ(ଆସାମ)ସ୍ଥିତ ଆଞ୍ଚଳିକ ଗବେଷଣାଗାରରେ ବୈଜ୍ଞାନିକ ଏବଂ ସୁନାବେଡ଼ାସ୍ଥିତ ଏରୋନଟିକ୍ସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଛନ୍ତି।