ପରାଶରଙ୍କୁ ଜାତୀୟ ବିଜ୍ଞାନ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ପ୍ରଥମ ଓଡ଼ିଆ ଭାବେ ଡ. ପରାଶର ମହାନ୍ତି ସମ୍ମାନଜନକ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଶିକ୍ଷକ ପୁରସ୍କାର-୨୦୨୧ ପାଇଛନ୍ତି। ସେ ଏବେ ଉତ୍ତରପ୍ରଦେଶ କାନପୁରସ୍ଥିତ ଭାରତୀୟ ବୈଷୟିକ ପ୍ରତିଷ୍ଠାନ (ଆଇଆଇଟି)ର ଗଣିତ ଓ ପରିସଂଖ୍ୟାନ ବିଭାଗରେ ପ୍ରଫେସର ଅଛନ୍ତି। ଏହି ଜାତୀୟ ପୁରସ୍କାର ଓ କୃତିତ୍ୱ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ।
ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ଘୋଷଣା କରି ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ (ଆଇଏନ୍‌ଏସ୍‌ଏ) ଗାଣିତିକ ଡ. ପରାଶର ମହାନ୍ତିଙ୍କ ଉଚ୍ଚମାନର ଗବେଷଣା ଓ ଉତ୍ସାହପ୍ରଦ ଶିକ୍ଷାଦାନକୁ ସ୍ବୀକୃତି ଦେଇଛି। ପ୍ରଫେସର ମହାନ୍ତି ଗବେଷଣା ଓ ଶିକ୍ଷାଦାନ ମଧ୍ୟରେ ଉପଯୁକ୍ତ ସନ୍ତୁଳନ ରକ୍ଷା କରିବାରେ ସିଦ୍ଧହସ୍ତ। ଏଥିସହ ତାଙ୍କ ତତ୍ତ୍ୱାବଧାନରେ ବହୁ ସଂଖ୍ୟକ ବିଦ୍ୟାର୍ଥୀ ପିଏଚ୍‌ଡି ହାସଲ କରି ପ୍ରମୁଖ ଅନୁଷ୍ଠାନଗୁଡ଼ିକରେ ଅଧ୍ୟାପନା ବୃତ୍ତିରେ ନିୟୋଜିତ ଅଛନ୍ତି। ତେବେ ପ୍ରଫେସର ମହାନ୍ତି ତାଙ୍କର ଗୁରୁ ପ୍ରଫେସର ସ୍ବାଧୀନ ପଟ୍ଟନାୟକଙ୍କ ଦ୍ୱାରା ବିଶେଷଭାବେ ଅନୁପ୍ରାଣିତ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଭାରତୀୟ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଶିକ୍ଷାଦାନର ମାନକୁ ସ୍ବୀକୃତି ଦେବା ସହ ଶିକ୍ଷାଦାନର ଗୁଣବତ୍ତା ମୂଲ୍ୟାୟନ ଦିଗରେ ଆଇଏନ୍‌ଏସ୍‌ଏ କାର୍ଯ୍ୟ କରୁଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଯେଉଁ ଶିକ୍ଷକମାନେ ପିଲାଙ୍କ କ୍ୟାରିୟରକୁ ଆଗେଇ ନେବାରେ ମାର୍ଗଦର୍ଶନ କରିବା ସହ ସେମାନଙ୍କୁ ଅନୁପ୍ରାଣିତ ତଥା ଉତ୍ସାହିତ କରିଛନ୍ତି, ସେମାନଙ୍କ ନିଷ୍ଠାପର ବୃତ୍ତିକୁ ସ୍ବୀକୃତି ଦେବା ପାଇଁ ଏକାଡେମୀ ଏହି ପୁରସ୍କାର ପ୍ରଦାନ କରୁଛି। ମେଡିକାଲ ଓ ଇଞ୍ଜିନିୟରିଂ ସମେତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରତ୍ୟେକଟି ବିଭାଗ ଏହି ପୁରସ୍କାର ଅଧୀନରେ ଆସିଥାଏ। ବର୍ଷକରେ ୧୫ ପୁରସ୍କାର ଦିଆଯାଇଥାଏ।