ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ ଗୁରୁତ୍ୱାରୋପ କରି ପିଏମ ମୋଦି ଏହି କଥା ଉପରେ ଜୋର୍ ଦେଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ହେଲା ପ୍ରତ୍ୟେକ ଯୁବକଙ୍କୁ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତା ସହିତ ଆଗକୁ ବଢ଼ିବା ପାଇଁ ସଶକ୍ତ କରିବା। ପିଏମ ମୋଦି ଏକାକୀ ଯାତ୍ରା କରିବାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ ଏହାଦ୍ୱାରା ଲୋକଙ୍କୁ ଦେଶ ବୁଲିବା ସହିତ ନିଜକୁ ଜାଣିବାର ମଧ୍ୟ ସୁଯୋଗ ମିଳିଥାଏ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ଆଜିର କାର୍ଯ୍ୟକ୍ରମ ପ୍ରକୃତରେ ସ୍ବତନ୍ତ୍ର। ଦେଶବ୍ୟାପୀ ପ୍ରାୟ ୨୫୦ ଜିଲାର ଗ୍ରାମାଞ୍ଚଳର ଯୁବକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ମୁଁ ଆପଣ ସମସ୍ତଙ୍କୁ ସ୍ବାଗତ କରୁଛି। କିଛି ବର୍ଷ ପୂର୍ବେ ଆମେ ‘ମେରା ଯୁବା ଭାରତ’ (MY Bharat) ପ୍ଲାଟଫର୍ମ ଆରମ୍ଭ କରିଥିଲୁ। ଆଜି ଦେଶବ୍ୟାପୀ କୋଟି କୋଟି ଯୁବକ ଏହା ସହିତ ଜଡ଼ିତ ଅଛନ୍ତି। ‘ମାଇ ଭାରତ’ର ଭଲଣ୍ଟିୟରମାନେ ସମଗ୍ର ଦେଶରେ ପ୍ରଶଂସନୀୟ କାମ କରୁଛନ୍ତି। ‘ବିକଶିତ ଭାରତ ସଂବାଦ’ ଠାରୁ ଆରମ୍ଭ କରି ‘ଭାଇବ୍ରାଣ୍ଟ ଭିଲେଜ’ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ… ଆପଣ ସମସ୍ତେ ଆପଣଙ୍କର ଦକ୍ଷତାକୁ ଚମତ୍କାର ଭାବରେ ପ୍ରଦର୍ଶନ କରିଛନ୍ତି।’