Categories: ଖେଳ

ବିରାଟଙ୍କୁ ନେଇ ନାସିର ହୁସେନଙ୍କ ବଡ଼ ମନ୍ତବ୍ୟ: କହିଲେ କେବଳ ତାଙ୍କ ପାଇଁ…

ନୂଆଦିଲ୍ଲୀ,୨୭।୧: ଇଂଲଣ୍ଡର ପୂର୍ବ ଅଧିନାୟକ ନାସିର ହୁସେନ ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। କେବଳ ବିରାଟ ଭାରତର ବର୍ତ୍ତମାନର ଟିମ୍‌ ମନରେ ଉତ୍ସାହ ଭରି ଦେଇଛନ୍ତି। ଏବେର ଟିମ୍‌ ହାର୍‌ ମାନିବାକୁ ପ୍ରସ୍ତୁତ ନୁହେଁ। ପଡ଼ିଆ ବାହାରେ ହେଉ ଅବା ଭିତରେ ବିପରିତ ପରିସ୍ଥିତିରେ ମଧ୍ୟ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। କୋହଲି ଏବଂ କିଛି ପ୍ରମୁଖ ଖେଳାଳି ଆହତ ହୋଇଥିବା ସତ୍ତ୍ୱେ ଭାରତର ଅନୁଭବହୀନ ଟିମ୍‌ ରାହାନେଙ୍କ ଅଧିନାୟକତ୍ୱରେ ସିରିଜ ଜିତି ଭିନ୍ନ ଉଦାହରଣ ସୃଷ୍ଟି କରିଛି ବୋଲି ହୁସେନ କହିଛନ୍ତି। ଏହାଛଡ଼ା ସେ ଇଂଲଣ୍ଡକୁ ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଥିବା ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ କଡ଼ା ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ସ୍କାଇ ସ୍ପୋଟର୍ସ ସହ ସାକ୍ଷାତକାରରେ ହୁସେନ କହିଛନ୍ତି, ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆରେ ୩୬ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ପରେ ବିରାଟ ଛୁଟିରେ ଚାଲିଯାଇଥିଲେ। ଜଣଙ୍କ ପରେ ଜଣେ ବୋଲର୍‌ ଆହତ ହେବା ଯୋଗୁ ବୋଲିଂ ବିଭାଗ ଅଚଳ ହୋଇ ଯାଇଥିଲା। ଏହାସତ୍ତ୍ୱେ ପଡ଼ିଆ ଭିତରେ ଦମ୍‌ଦାର ପ୍ରଦର୍ଶନ କରିଥିଲା ଦଳ। ଏଣୁ ଏହି ଟିମ୍‌ ଉପରେ କେହି ବି ଚାପ ପକାଇପାରିବେ ନାହିଁ। ଭାରତ ଏବେ ମଜଭୂତ ଟିମ୍‌ରେ ପରିବର୍ତ୍ତିତ ହୋଇଛି। କୋହଲିଙ୍କ ଯୋଗୁ ଏହା ସମ୍ଭବ ହୋଇଛି। ଆସନ୍ତା ସିରିଜ୍‌ରେ ଇଂଲଣ୍ଡ ଦଳକୁ ସର୍ବଶ୍ରେଷ୍ଠ ୧୩ ରୁ ୧୫ ଖେଳାଳିଙ୍କୁ ଧରି ପଡ଼ିଆକୁ ଓହ୍ଲାଇବାକୁ ହେବ ବୋଲି ସେ କହିଛନ୍ତି।

Share